Unknown

 

 

 

 

 

 

 

 

 

ଶ୍ରୀ କୃପାମୟ ଚରିତ

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ଉତ୍ସର୍ଗ ପତ୍ର

 

ପରମ ମାନ୍ୟବର, ଗଙ୍ଗବଂଶାବତଂଶ, ବାମଣ୍ଡାଧୀଶ୍ୱର, ବିଜ୍ଞାନ ବିନୋଦ ମହାରାଜ ଶ୍ରୀଯୁକ୍ତ ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଫ ଉଡ଼େଟରୀ ଚିଫ୍‍ ମହୋଦୟ ଶ୍ରୀକର କମଳେଷୁ ।

 

ସସମ୍ମାନ ନିବେଦ

 

ଶ୍ରୀମଦରପତେ, ପ୍ରାଚୀନ କାଳର ନରପତିମାନେ ପ୍ରଧାନତଃ ପାରିଷଦମାନଙ୍କ ଦୋଷରେ ନିରକ୍ଷର ଥିଲେମଧ୍ୟ ମହାଶୟୋଚିତ ଦାନଶୀଳତା ଗୁଣରେ ଭୂଷିତଥିଲେ, କିନ୍ତୁ କୃଷି, ଶିଳ୍ପ, ବାଣିଜ୍ୟ, ଶିକ୍ଷୋନ୍ନତି ପ୍ରଭୃତି ରାଜ୍ୟ ହିତକର ବିଷୟରେ ସେମାନଙ୍କ ତାଦୃଶ ମନୋଯୋଗ ନଥିଲା । ରବଦୀୟ ପବିତ୍ରକୀର୍ତ୍ତି ପିତୃଦେବ ଏ ବିଷୟରେ ପ୍ରଥମ ପଥପ୍ରଦର୍ଶକହୋଇ ଉତ୍କଳରେ ଅମରକୀର୍ତ୍ତି ଲାଭକରି ଯାଇ ଅଛନ୍ତି । ଶ୍ରୀଛାମୁ ଯୋଗ୍ୟ ପିତାଙ୍କର ଯୋଗ୍ୟତମପୁତ୍ର, ସୁତରାଂ ପିତୃପ୍ରତିଷ୍ଠା ପରିବର୍ଦ୍ଧନ, ପିତୃପଦାଙ୍କ ଅନୁସଗଣ ଶ୍ରୀଛାମୁଙ୍କ ଜୀବନର ମୁଖ୍ୟବ୍ରତ ହୋଇଅଛି । ଶ୍ରୀଛାମୁଙ୍କ ଐକାନ୍ତିକ ଯତ୍ନରେ ପୁରାତନ ବାମଣ୍ଡା ବର୍ତ୍ତମାନ ନବଜୀବନ ଧାରଣକରି ଉତ୍କଳର ଅନ୍ୟତମ ଆଦର୍ଶସ୍ଥଳ ହୋଇଅଛି । ଉତ୍କଳର ଉତ୍ତରାଞ୍ଚଳ ଶ୍ରୀଛାମୁଙ୍କ ଯୋଗେ ଯେପରି ଗୌରବାନ୍ୱିତ ଓ ସଭ୍ୟତାଲୋକରେ ଆଲୋକିତ, ଉତ୍କଳର ଦକ୍ଷିଣାଞ୍ଚଳ ଭବଦୀୟ ଜ୍ଞାତି, ଗଙ୍ଗବଂଶର ଅନ୍ୟତମ ସମୁଜ୍ଜ୍ୱଳ–ଗୌରବ ମଣି ବୃହତଖେମଣ୍ଡି ଧରାଧୀଶ୍ଚର ପ୍ରତିଭାବିନୋବ ଶ୍ରୀଯୁକ୍ତ ଶ୍ରୀକୃପାମୟ ଦେବ ଅନଙ୍ଗଭୀମକେଶରୀ ଗଜପତିମହାରାଜାଙ୍କ ଯୋଗେ ସେହିପରି ଗୌରବାନ୍ୱିତ । ଶ୍ରୀଛାମୁଙ୍କର ତାଙ୍କର କ୍ଷମତା ସର୍ବତୋମୁଖୀ, ସେ ଅଭିଭାବକବିହୀନ ଅବସ୍ଥାରେ କେବଳ ଆତ୍ମବୁଦ୍ଧିବଳରେ ରାଜ୍ୟଶାସନକରି ସୁପ୍ରତିଷ୍ଠା ଲାଗକରିବା ସଙ୍ଗେ ସଙ୍ଗେ ‘‘ଆତ୍ମବୁଦ୍ଧି ସୁଖାୟୈବ’’ ବାକ୍ୟର ସାର୍ଥକତା ସମ୍ପାଦନକରି ଅଛନ୍ତି । ସୌହୃଦ୍ୟ ଏବଂ ସ୍ୱଜ୍ଞାତିହେତୁ ଶ୍ରୀଛାମୁ ବୃହତଖେମଣ୍ଡି ରାଜ୍ୟର ଓ ଅତ୍ରତ୍ୟ ରାଜବଂଶର ପରମ ଶୁଭାକାଂକ୍ଷୀ ଥିବାରୁ ଶ୍ରୀଛାମୁଙ୍କ ସର୍ଜଥାଯୋଗ୍ୟପାତ୍ର ମନେକରି ଶ୍ରୀଛାମୁଙ୍କ ଅନୁରୂପ ସଦ୍‍ଗୁଣ ସୁମନାଳଙ୍କୃତ ବୃହତଖେମଣ୍ଡି ବର୍ତ୍ତମାନ ନରପତି ସାର୍ଥକନାମା ଶ୍ରୀକୃପାମୟ ଦେବଙ୍କର ଏହି ସଂକ୍ଷିପ୍ତ ଜୀବନଚରିତ ଭବଦୀୟ ଗୌରବାନ୍ୱିତ ନାମରେ ଉତ୍ସର୍ଗକଲି । ଶ୍ରୀଛାମୁ ଏହା ସଶ୍ରଦ୍ଧଚିତ୍ତରେ ଗ୍ରହଣକଲେ ମୁଁ ମୋର ଶ୍ରମ ସଫଳ ମନେ କରିବି ।

 

୩୦ । ୬ । ୦୯

ବିନୟାବନତ

ବୃହତଖେମଣ୍ଡି

ଶ୍ରୀ ନୀଳମଣି ବିଦ୍ୟାରତ୍ନ

Image

 

ଶ୍ରୀ କୃପାମୟ ଚରିତ

 

ପ୍ରାକୃତିକ ଉତ୍କଳର ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ବୃହତ୍‌ଖେମଣ୍ଡି (ବଡ଼ଖେମଣ୍ଡି) ନାମକ ଗୋଟିଏ ରାଜ୍ୟ ଅଛି । ଦିଗପହଣ୍ଡି (ଦିଗ୍ତପୁତି) ଏହି ରାଜ୍ୟର ବର୍ତ୍ତମାନ ରାଜଧାନୀ ଅଟେ । ଏହି ରାଜ୍ୟରେ ଅନେକ ଉତ୍କୃଷ୍ଟ କାରିଗର ବାସ କରନ୍ତି । ପ୍ରଜାମାନଙ୍କର ପ୍ରଧାନ ଜୀବିକା କୃଷି, ଶିଳ୍ପ, ଏବଂ ବାଣିଜ୍ୟ । ରାଜ୍ୟର ଭୂମି ଉର୍ବରଥିବାରୁ ନାନାପ୍ରକାର ଶସ୍ୟର ଆବାଦିହୁଏ । ଏଣୁ ପ୍ରଜାମାନେ ସାଧାରଣତଃ ଭଲ ଅବସ୍ଥାରେ ବାସକରନ୍ତି । ରାଜ୍ୟର ବାର୍ଷିକ ଆୟ ପ୍ରାୟ ୨ ଲକ୍ଷଟଙ୍କା, ଏବଂ ପରିମାଣଫଳ ୫୭୨ ବର୍ଗମାଇଲ । ରାଜ୍ୟମଧ୍ୟରେ ଅନେକ ସୁଦୃଶ୍ୟ କ୍ଷୁଦ୍ର ବୃହତ୍ ପର୍ବତ ଓ ଗୁମ୍ଫାଅଛି, ଏଯୋଗୁଁ ଏବଂ ଦେବାଳୟର ସଂଖ୍ୟା ମଧ୍ୟ ଅନେକ ଥିବାରୁ ଏହି ରାଜ୍ୟଟି ଯେପରି ମନୋମୁଗ୍ଧକର ସେହିପରି ପବିତ୍ରତର ଅଟେ । ଏହି ମନୋରମ, ପୃତରାଜ୍ୟଟି ଗଙ୍ଗବଂଶୀୟ ନରପତିମାନଙ୍କ ଦ୍ୱାରା ଶାସିତ ହୁଏ । ଏହି ରାଜ୍ୟର ରାଜଧାନୀ ପୂର୍ବେ ବିଜୟ ନଗର ନାମକ ସ୍ଥାନରେ ଥିଲା । ବର୍ତ୍ତମାନ ସେହି ନଗରର ଭଗ୍ନାବଶେଷ ବିଦ୍ୟମାନ ରହି ପୂର୍ବତନ ନରପତି ମାନଙ୍କର ଅତୁଳ୍ପ ପ୍ରତାପ ଘୋଷଣା କରୁଅଛି । ପ୍ରାୟ ୧୨୦ ବର୍ଷହେଲା ବିଜୟନଗର ବଦଳରେ ଦିଗପହଣ୍ଡି ରାଜଧାନୀ ହୋଇଅଛି ।

 

ଖେମଣ୍ଡି ରାଜବଂଶର ଆଗମନ ସମ୍ୱନ୍ଧରେ ନାନାଲୋକେ ନାନାକଥା କହନ୍ତି । କେହି କେହି କହନ୍ତି ଓଡ଼ିଶାର ରାଜା କପିଳେନ୍ଦ୍ର ଦେବଙ୍କ ଗୃହତ୍ୟାଗୀ ଅଷ୍ଟାଦଶ ପୁତ୍ରମଧ୍ୟରୁ ଜଣେ ଏହିରାଜ୍ୟ ସ୍ଥାପନ କରିଥିଲେ । କେହି କେହି କହନ୍ତି ଚୁଡ଼ଙ୍ଗ ଦେବଙ୍କର ଜଣେ ଭାଇ ସମ୍ୱଲପୁର ଅଞ୍ଚଳକୁ ଯାଇ ସେଠାରେ ରାଜପଣକଲେ ପରେ ତାଙ୍କର କୌଣସି ଏକ ବଂଶଧର ଏ ପ୍ରଦେଶକୁ ଆସି କେତେକ ଜନପଦ ଆୟତ୍ତକରି ମାଳ-ଉଦୟଗିରି ଠାରେ ରାଜପଣକଲେ । ତଦନନ୍ତର ତାଙ୍କର ବଂଶଧରମାନେ ଗୁଡ଼ାରିକଟକ ପରେ ବିଜୟନଗର ଏବଂ ଦିଗପହଣ୍ଡି ଠାରେ ରାଜଧାନୀ ସ୍ଥାପନ କଲେ । ଏହି ପରି ପ୍ରଚାରିତ ନାନାକଥା ମଧ୍ୟରୁ କେଉଁକଥା ସତ୍ୟ ତାହା ଇତିହାସ ତତ୍ୱାନୁ ସନ୍ଧାନୀମାନେ ଅନୁସନ୍ଧାନ କରନ୍ତୁ । ଖେମଣ୍ଡିର ରାଜାମାନେ ଯେ ବିଶୁଦ୍ଧ ଗଙ୍ଗବଂଶୀୟ, ଏବିଷୟରେ କାହାରି ବିନ୍ଦୁମାତ୍ର ସନ୍ଦେହନାହିଁ । ଉକ୍ତବଂଶୀୟ ପୂର୍ବତନ ନରପତିମାନେ କୌଶଳ ଓ ବାହୁବଳରେ ରାଜ୍ୟରସୀମା ବହୁଦୂର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସେସମୟରେ ଗଞ୍ଜାମର ଅନ୍ୟାନ୍ୟ ରାଜାମାନେ ତାହାଙ୍କୁ କରପ୍ରଦାନ କରୁଥିଲେ । ପ୍ରଥମରେ ଏହି ରାଜ୍ୟର ନାମ ଖେମଣ୍ଡି ଥିଲା, ପରେ ଏହିରାଜ୍ୟ ସ୍ୱବଂଶୀୟମାନଙ୍କ ମଧ୍ୟରେ ବିଭକ୍ତହୋଇ ବଡ଼ଖେମଣ୍ଡି, ସାନଖେମଣ୍ଡି ଓ ପାରଳାଖେମଣ୍ଡି ନାମ ଧାରଣ କରିଅଛି । ବଡ଼ଖେମଣ୍ଡି ନରପତିମାନଙ୍କର ବଂଶଗତ ଉପାଧି ‘‘ଅନଙ୍ଗଭୀମ କେଶରୀ ଗଜପତି ମହାରାଜା ।’’

 

ପରଲୋକଗତ କବି ଓ ପଣ୍ଡିତ ବାସୁଦେବ ରଥ ରାଜଗୁରୁଙ୍କ ପ୍ରଣୀତ ଗଙ୍ଗବଂଶାନୁଚରିତଚମ୍ପୁରୁ ଜଣାଯାଏ ଯେ ପୂର୍ବକାଳରେ କଜ୍ଜ୍ୱଳଭାନୁ ଦେବ ନାମକ ଏକବ୍ୟକ୍ତି ଖେମଣ୍ଡି ରାଜ୍ୟର ଦଣ୍ଡଧର ଥିଲେ । ‘‘ଗୁଡ଼ାରିକଟକ’’ ନାମକସ୍ଥାନ ସେସମୟରେ ଖେମଣ୍ଡି ରାଜ୍ୟର ରାଜଧାନୀଥିଲା । (ବର୍ତ୍ତମାନ ଉକ୍ତସ୍ଥାନ ସାନଖେମଣ୍ଡି ରାଜ୍ୟର ଅନ୍ତର୍ଗତ ହୋଇଅଛି । ସେଠାରେ ବର୍ତ୍ତମାନ ଉକ୍ତ ନାମର ଗୋଟିଏ କ୍ଷୁଦ୍ର ଗ୍ରାମଅଛି ।) ସେ ଓ ତାଙ୍କର କେତେକଜଣ ବଂଶଧର ସେଠାରେ ରାଜପଣ କରିବା ପରେ ପଦ୍ମନାଭଦେବ ନାମକ ନରପତି ପୂର୍ବକଥିତ (ପର୍ବତ ପ୍ରାଚୀରଦ୍ୱାରା ସୁରକ୍ଷିତ ମନୋରମ) ବିଜୟନଗର ଠାରେ ରାଜଧାନୀ ସ୍ଥାପନ କରିଥିଲେ, ତାଙ୍କପରେ ତାଙ୍କର ପୁତ୍ର ପୀତାମ୍ୱରଦେବ ଉତ୍ତରାଧିକାରୀ ହୋଇଥିଲେ । ସେ ଜଣେ ଅତ୍ୟନ୍ତ ବଳ ବିକ୍ରମଶାଳୀ ନରପତି ଥିବାରୁ ‘‘ମଲ୍ଲ’’ (ମାଲ) ଉପାଧି, ଲାଭକରି ସାଧାରଣରେ ‘‘ମଲ୍ଲପିତାମ୍ୱରଦେବ’’ ନାମରେ ପରିଚିତ ଥିଲେ । ସେ ନିଃସନ୍ତାନ ଅବସ୍ଥାରେ କାଳଗ୍ରାସରେ ପତିତ ହେବାରୁ ତାଙ୍କର କନିଷ୍ଠଭ୍ରାତା ବାସୁଦେବ ଦେବ ସିଂହାସନାରୋହଣ କରିଥିଲେ । ତାଙ୍କ ପରେ ତାଙ୍କର ପୁତ୍ର ପୁରୁଷୋତ୍ତମ ଦେବ ରାଜପଣକଲେ । ତାଙ୍କର ପଦ୍ମନାଭ, ଚୈତନ୍ୟ, ଜଗନ୍ନାଥ ଓ ହରିକୃଷ୍ଣ ନାମକ ଚାରିଗୋଟି ପୁତ୍ରଥିଲେ । ପୁରୁଷୋତ୍ତମ ଦେବଙ୍କ ନିର୍ଦ୍ଧାରଣ ଅନୁସାରେ ଖେମଣ୍ଡି ରାଜ୍ୟ ଦୁଇଭାଗରେ ବିଭକ୍ତ ହେଲା । ଏକଭାଗ ବଡ଼ଖେମଣ୍ଡି, ଅନ୍ୟଭାଗ ସାନଖେମଣ୍ଡି ନାମରେ ପରିଚିତ । ପଦ୍ମନାଭଦେବ ବଡ଼ଖେମଣ୍ଡି ରାଜ୍ୟର ରାଜା ଓ ଚୈତନ୍ୟ ଦେବ ଥାଟରାଜା ହେଲେ । ଅପର ଭ୍ରାତାଦ୍ୱୟ ସାନଖେମଣ୍ଡି ରାଜ୍ୟର ରାଜା ଓ ଥାଟରାଜା ପଦରେ ବରିତହେଲେ ।

 

ପଦ୍ମନାଭ ଦେବ ଅପୁତ୍ରିକାବସ୍ଥାରେ କାଳଗ୍ରାସରେ ପତିତ ହେବାପରେ ତାଙ୍କର କନିଷ୍ଠଭ୍ରାତା ଚୈତନ୍ୟ ଦେବ ସିଂହାସନାରୋହଣ କଲେ । ତାଙ୍କପରେ ତାଙ୍କର ପୁତ୍ର ପୀତାମ୍ୱରଦେବ ରାଜପଣ କରିଥିଲେ । କାଳକ୍ରମେ ସେ ସ୍ୱର୍ଗା ରୋହଣ କରିବାରୁ ତାହାଙ୍କର ଷୋଡ଼ଶ ବର୍ଷ ବୟସ୍କ ପୁତ୍ର ପୁଣ୍ୟଶ୍ଳୋକ ମହାରାଜ ଲକ୍ଷ୍ମୀ ନାରାୟଣ ଦେବ ୧୮୫୦ ଖ୍ରୀଷ୍ଟାବ୍ଦରେ ବୃହତ୍‌ଖେମଣ୍ଡି ରାଜ ସିଂହାସନକୁ ସୁଶୋଭିତ କଲେ । ଉକ୍ତ ନରପତି ୧୮୩୮ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୯୨ ଖ୍ରୀଷ୍ଟାବ୍ଦରେ ୫୮ ବର୍ଷ ବୟସରେ ମାନବଲୀଳା ସମ୍ଭରଣ କରିଥିଲେ । ସେଜଣେ ସୁବିହାନ, ପଣ୍ଡିତପ୍ରିୟ, ପ୍ରଜାବତ୍ସଳ, ଦାନଶୀଳ, ସ୍ୱଧର୍ମ୍ମନିଷ୍ଠ, ପରମଧାର୍ମ୍ମିକ ନରପତି ଥିଲେ । ସେ ଆପଣାର ସୁଦୀର୍ଘ ରାଜତ୍ୱକାଳ ମଧ୍ୟରେ ସ୍ୱୀୟ ରାଜ୍ୟମଧ୍ୟରେ ଦେବାଳୟ ନିର୍ମ୍ମାଣ, ଦେବତା ମାନଙ୍କର ଅତିରିକ୍ତ ସେବାପୂଜାର ସୁବ୍ୟବସ୍ଥା, ଜଳାଶୟ ଖନନ ପ୍ରଭୃତି ବହୁବିଧ ସାଧାରଣ ହିତକର କାର୍ଯ୍ୟ ସାଧନା ଓ ଅସାଧାରଣ ବଦାନ୍ୟତା ଗୁଣରେ ଚିର ସ୍ମରଣୀୟ ହୋଇ ଭାରତବ୍ୟାପୀ ଅମର କୀର୍ତ୍ତି ଲାଭକରି ଯାଇ ଅଛନ୍ତି । (ସେହି ଯୋଗ ଜନ୍ମା ମହାପୁରୁଷଙ୍କ ଜୀବନଚରିତ ସଙ୍କଳନକରି ପରେ ପ୍ରକାଶ କରିବାର ବାସନା ରହିଲା ।)

 

ମହାରାଜା ଲକ୍ଷ୍ମୀନାରାୟଣ ଦେବଙ୍କର ଦୁଇଗୋଟି ରାଣୀ ଥିଲେ । ତାହାଙ୍କର ପଟ୍ଟମହଷୀଙ୍କ ଗର୍ଭରୁ ଦିବ୍ୟସିଂହ ଓ ରାଧାକୃଷ୍ଣ ନାମଙ୍କ ଦୁଇଗୋଟି କୁମାର ଜନ୍ମ ଗ୍ରହଣ କରିଥିଲେ-। ଜ୍ୟେଷ୍ଠପୁତ୍ର ଯୁବରାଜ ଦିବ୍ୟସିଂହଦେବ ଦତ୍ତକ ପୁତ୍ର ରୂପେ ପୁରୀର ରାଜସିଂହାସନରେ ଅରୋହଣ କଲେ । (ପୁରୀର ବର୍ତ୍ତମାନ ମହାରାଜା ଶ୍ରୀମୁକୁନ୍ଦ ଦେବ ତାହାଙ୍କର ପୁତ୍ର ଅଟନ୍ତି) । ପ୍ରଥମ ପୁତ୍ର ଦିବ୍ୟସିଂହଦେବ ପୁରୀର ରାଜସିଂହାସନାରୂଢ଼ ହେବାରୁ ତାଙ୍କର କନିଷ୍ଠଭ୍ରାତା ରାଧାକୃଷ୍ଣ ଦେବ ବୃହତ୍‌ ଖେମଣ୍ଡି ରାଜ୍ୟର ଯୁବରାଜ ପଦରେ ଅଭିଷିକ୍ତ ହେଲେ । ଅତଃପର ଉକ୍ତ ଯୁବରାଜଙ୍କର ଜନନୀ ଦେବୀ ଅର୍ଥାତ୍‌ ପଟ୍ଟମହଷୀ ସ୍ୱର୍ଗାରୋହଣ କଲେ । ସୁତରାଂ ଭକ୍ତ ନରପତି ଦ୍ୱିତୀୟବାର ବାର ପରିଗ୍ରହ କରିବାକୁ ବାଧ୍ୟହେଲେ । ଭଗବତିଚ୍ଛାରୁ ଉକ୍ତ ନବମହଷୀ ଦୁଇ ଗୋଟି ପୁତ୍ର ସନ୍ତାନପ୍ରସବ କରିଥିଲେ । ପରେ ତାହାଙ୍କ ଗର୍ଭଜାତ ପ୍ରଧମ ସନ୍ତାନ ବ୍ରଜକିଶୋର ଦେବ ସାନଖେମଣ୍ଡି ରାଜ୍ୟର, ଦ୍ୱିତୀୟ ସନ୍ତାନ ଶ୍ରୀମାନ କୃପାମୟଦେବ ବୃହତ୍‌ ଖେମଣ୍ଡି ରାଜ୍ୟର ଅଧୀଶ୍ୱର ହେଲେ । ବୃହତ୍‌ ଖେମଣ୍ଡି ଅଧୀଶ୍ୱର, ଗଙ୍ଗକୁଳର, ସମୁଜ୍ଜ୍ୱଳରତ୍ନ, ଉତ୍କଳହିତୈଷୀ ମାନନୀୟ ଶ୍ରୀକୃପାମୟ ଦେବ ଅନଙ୍ଗ ଭୀମକେଶରୀ ଗତ ପତି ମହାରାଜ ମହୋଦୟଙ୍କ ସଂକ୍ଷିପ୍ତ ଜୀବନ ଚରିତ ନିମ୍ନରେ ପ୍ରକାଶ କରୁଅଛୁଁ ।

 

ବୃହତ୍‌ ଖେମଣ୍ଡିର ବର୍ତ୍ତମାନ ନରପତି ଶ୍ରୀମାନ କୃପାମୟ ଦେବ ଗଜପତି ମହାରାଜ ମହୋଦୟ ୧୮୭୨ ଖ୍ରୀଷ୍ଟାବ୍ଦ ଜୁନମାସ ୫ ତାରିଖ ଅର୍ଥାତ୍‌ ୧୨୮୩ ସାଲ ବୃଷମାସ ୧୯ ତାରିଖ (ଜ୍ୟେଷ୍ଠମାସ କୁଷ୍ଣପକ୍ଷ ପଞ୍ଚମୀ ବୃହସ୍ପତି ବାରଦିନ) ଅପରାହ୍ନ ପ୍ରାୟ ପଞ୍ଚଘଟିକା ସମୟରେ ଅତିଶୁଭ କ୍ଷଣରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଓ ନାମକରଣ ସମୟରେ ରାଜଧାନୀର ମହା ମହୋତ୍ସବର ଅନୁଷ୍ଠାନ ହୋଇଥିଲା ।

 

ନବକୁମାରଙ୍କୁ କି ନାମ ପ୍ରଦାନ କରିବେ ବୋଲି ତାହାଙ୍କର ପିତୃଦେବ ମହାରାଜ ଲକ୍ଷ୍ମୀ ନାରାୟଣ ଦେବ ଭାବନାବ୍ୟାକୁଳ ଥିଲେ । ନାମକରଣ (ଏକୋଇଶା) ଦିବସର ପୂର୍ବଦିନ ନିଶୀଥ କାଳରେ ସେ ସ୍ୱପ୍ନରେ ଦେଖିଲେ ଯେ ତାଙ୍କର ପରମାରାଧ୍ୟଦେବତା ମୁରଲୀଧାରୀ ଶ୍ରୀକୃଷ୍ଣଚନ୍ଦ୍ର ଶ୍ରୀମତୀ ରାଧିକାଙ୍କ ସହିତ ତାଙ୍କର ପ୍ରତିଷ୍ଠିତ ଦେବାଳୟରେ ଦଣ୍ଡାୟମାନ ହୋଇ ଅଛନ୍ତି, ଭକ୍ତମାନେ ସମ୍ମୁଖରେ ରହି ସ୍ତବ ପାଠକରୁ ଅଛନ୍ତି । ସ୍ୱୟଂ ମହାରାଜା ଲକ୍ଷ୍ମୀନାରାୟଣ ଦେବମଧ୍ୟ ଉକ୍ତ ଭକ୍ତ ବର୍ଗଙ୍କ ମଧ୍ୟରେ ଦଣ୍ଡାୟମାନ ରହି ସ୍ତୁତିଗାନ କରୁଅଛନ୍ତି । ତତ୍ପରେ ପ୍ରଭୁଙ୍କ ଇଙ୍ଗୀତ ଅନୁସାରେ ସ୍ତବପାଠ ବନ୍ଦହେଲା । ପ୍ରଭୁ (ସ୍ୱର୍ଗୀୟ) ନରପତିଙ୍କୁ ଲକ୍ଷ୍ୟକରି ଆଦେଶ ପ୍ରଦାନ କଲେଯେ ନବ କୁମାର ଜାତହେତୁ ଖେମଣ୍ଡି ଧରଣୀ ଧନ୍ୟାହୋଇଅଛି, ଅତଏବ ନବକୁମାରଙ୍କୁ କୃପାମୟ ନାମ ପ୍ରଦାନ ଓ ମୋର ମନ୍ଦିର ଶିଖରରେ ‘‘କୃପାମୟ ଜୟପତକା’’ ସ୍ଥାପନ କର ।’’ ସ୍ୱପ୍ନରେ ଏହିବାକ୍ୟ ଶ୍ରବଣାନ୍ତେ ପୁନଶ୍ଚ ଭକ୍ତ ମାନଙ୍କ ଗାନର ଚହଳ ଉଠିଲା । ସେହି ସ୍ୱପ୍ନ ଗୋଚର ଚହଳରେ ମହାରାଜାଙ୍କର ନିଦ୍ରା ଭଙ୍ଗହେଲା । ସ୍ୱପ୍ନାଦେଶ ଅନୁସାରେ ନବଜାତକୁମାର ‘‘ଶ୍ରୀକୃପାମୟ ଦେବ’’ ନାମରେ ଅଭିହିତ ହେଲେ, ଏବଂ ମନ୍ଦିର ଚୂଡ଼ାରେ ସେହି ଦିନଠାରୁ ଶ୍ରୀକୃପାମୟ ପତାକା ଉଡ୍ଡୀନ ହୋଇ ଆସୁଅଛି । କୁମାର କୃପାମୟ ଦେବ ନବମ ମାସ ବୟସ ପର୍ଯ୍ୟନ୍ତ ରାଜଅବରୋଧରେ ଅବସ୍ଥାନକରି ଶଶୀକଳାତୁଲ୍ୟ ବର୍ଦ୍ଧନଶୀଳ ହେଲେ । ମାତ୍ର ଦଶମମାସ ବୟସରେ ବୃହତ୍‌ଖେମଣ୍ଡିର ସେହି ଆନନ୍ଦ ପ୍ରତିମା ଜ୍ୱର ଓ କାସରୋଗରେ ପଞ୍ଚ ବିଂଶତ ଦିବସ ପର୍ଯ୍ୟନ୍ତ ପୀଡ଼ିତ ରହି କି ପିତାମାତା, କି ପରିଜନବର୍ଗ ଏବଂ ପ୍ରଜାକୁଳ ସମସ୍ତଙ୍କୁ ଚିନ୍ତାବ୍ୟାକୁଳ କରିଥିଲେ, ମାତ୍ର ସ୍ୱୀୟ ଭାଗ୍ୟବଳ ଏବଂ ପିତୃଦେବଙ୍କ ପୁଣ୍ୟପ୍ରଭାବ ଦେବ ଦ୍ୱିଜଭକ୍ତି ଓ ଦାନ ହୋମାଦି ସଦନୁଷ୍ଠାନ ବଳରେ ଉକ୍ତ କଷ୍ଟସାଧ୍ୟ ରୋଗର କବଳରୁ ରକ୍ଷା ଲାଭକରି ପ୍ରକୃତି ବର୍ଗର ପ୍ରୀତବର୍ଦ୍ଧନ କରିଥିଲେ । ଏସ୍ଥଳରେ ଏକଥା କହିବା ଆବଶ୍ୟକ ଯେ ନାନା ଚିକିତ୍ସାରେ ପ୍ରିୟଦର୍ଶନ କୁମାର ମହୋଦୟଙ୍କର ପୀଡ଼ା ଉପଶମ ନହେବାରୁ ତାହାଙ୍କର ପରମ ଧାର୍ମ୍ମିକ, ଭକ୍ତଶ୍ରେଷ୍ଠ, ସନ୍ତାନବତ୍ସଳ ପିତୃଦେବ ଅନନ୍ୟୋପାୟ ହୋଇ ସ୍ୱୀୟ ଆରାଧ୍ୟ ଦେବତା ଶ୍ରୀ ରାଧାକୃଷ୍ଣଙ୍କ ଚରଣାରବିନ୍ଦରେ ତାହାଙ୍କୁ (ଶ୍ରୀମାନ କୃପାମୟ ଦେବଙ୍କୁ) ବିକ୍ରୟ କରିଥିଲେ । ଏହି ଘଟନାରୁ ମହାରାଜ ଲକ୍ଷ୍ମୀନାରାୟଣ ଦେବଙ୍କ ଅକୃତ୍ରିମ ଦେବ ଦ୍ୱିଜ ଭକ୍ତି ଓ ଶ୍ରୀମାନ କୃପାମୟ ଦେବଙ୍କ ସୌଭାଗ୍ୟବଳ ସହଜରେ ଅନୁମେୟ । କୁମାର ମହୋଦୟ ମହାରାଜଙ୍କ ଆଦେଶ ଅନୁସାରେ ପଞ୍ଚମ ବର୍ଷ ବୟସ ପୂର୍ବେ ଶାସ୍ତ୍ରୋକ୍ତ ରୀତିରେ ଖଡ଼ିଛୁଆଁ କରିଥିଲେ ମଧ୍ୟ ଷଷ୍ଠ ବର୍ଷ ବୟସରେ ରୀତିମତ ବିଦ୍ୟାରମ୍ଭ କରିଥିଲେ । ସେ ଏକବର୍ଷ ମଧ୍ୟରେ ଉତ୍କଳ ବର୍ଣ୍ଣ ପରିଚୟ ଶେଷକରି ପ୍ରାଚୀନ ରୀତିରେ କୋଇଲି, ଗୋପୀଭାଷା, ଭାଗବତ ପ୍ରଭୃତି ଅଧ୍ୟୟନରେ ସକ୍ଷମତା ଲାଭକଲେ । ୭ମ ବର୍ଷ ବୟସରେ ଅନ୍ୟାନ୍ୟ ଭାଷାଗ୍ରନ୍ଥ ସହିତ ଅମରସିଂହ ପ୍ରଣୀତ ଅଭିଧାନ ପାଠ ଆରମ୍ଭକଲେ । ଅଧ୍ୟାପକ ପଦରେ ସ୍ଥାନୀୟ (ଅଧୁନା ପରଲୋକଗତ) ଗୋପୀନାଥ ରଥ ନାମକ ଜଣେ କୃତବିଦ୍ୟ ବ୍ୟକ୍ତି ନିଯୁକ୍ତ ଥିଲେ ।

 

ରାଜକୁମାର ଶ୍ରୀ କୃପାମୟଦେବ ୯ମ ବର୍ଷ ବୟସରେ ଅଭିଧାନ ଶେଷକରି ସଂସ୍କୃତ ବ୍ୟାକରଣ ପାଠରେ ନିଯୁକ୍ତ ହେଲେ, ସଙ୍ଗେ ସଙ୍ଗେ ଭାଷାଗ୍ରନ୍ଥ ଓ ଗଣିତଶିକ୍ଷାର ସୁବ୍ୟବସ୍ଥା ହୋଇଥିଲା । ଶିକ୍ଷକ ଗୋପୀନାଥ ରଥ କାଳଗ୍ରାସରେ ପତିତ ହେବାରୁ ତାହାଙ୍କ ପୁତ୍ର ଜଗବନ୍ଧୁ କବିଚନ୍ଦ୍ରରାୟଗୁରୁ କୁମାରଙ୍କ ଅଧ୍ୟାପକ ପଦରେ ବରିତହେଲେ ।

 

ସୁଚତୁର ଏବଂ ଦୂରଦର୍ଶୀ ନରପତି ମହାରାଜ ଲକ୍ଷ୍ମୀନାରାୟଣ ଦେବଙ୍କ ନିର୍ଦ୍ଦେଶ ଅନୁସାରେ ବାଲ୍ୟକାଳରେ କୁମାର ଶ୍ରୀ କୃପାମୟଦେବ କୁସ୍ତି ପ୍ରଭୃତି ଦେଶୀୟ ବ୍ୟାୟାମ ଚର୍ଚ୍ଚା ଆରମ୍ଭକଲେ । ଏକଦା ଉକ୍ତ ବ୍ୟାୟାମ ଅନୁଷ୍ଠାନରେ ପ୍ରବୃତ୍ତ ଥିବାବେଳେ ଦୈବାତ୍‌ ରୂପଚିତ ହେବାରୁ ତାଙ୍କର ଦକ୍ଷହସ୍ତର କଫୋଣି ନିକଟର ଏକଅସ୍ଥି ଭଗ୍ନ ହୋଇଗଲା । ଏସମ୍ବାଦ ଶ୍ରବଣମାତ୍ର ସର୍ବତୋମୁଖୀ କ୍ଷମତା ସମ୍ପନ୍ନ ମହାରାଜ ଲକ୍ଷ୍ମୀନାରାୟଣ ଦେବ ଘଟନାସ୍ଥଳରେ ଉପସ୍ଥିତ ହୋଇ କୁମାରଙ୍କ ଶରୀର ପରୀକ୍ଷାକରି ଭଗ୍ନଅସ୍ଥି ସଂଯୋଜନ କରି ପ୍ରଲେପାଦିର ସୁବ୍ୟବସ୍ଥା କରିଦେଲେ । କିଛିକାଳପରେ ଉକ୍ତ ପୀଡ଼ାର ଉପଶମହେଲା ।

 

କୁମାରମହୋଦୟ ସ୍ୱୀୟ ବାଲ୍ୟକାଳରେ ଆପଣାର ପିତା, ମାତା ଏବଂ ଜ୍ୟେଷ୍ଠଭ୍ରାତା ପ୍ରଭୃତି ଗୁରୁଜନମାନଙ୍କ ପ୍ରତି ଅତ୍ୟନ୍ତ ଭକ୍ତିଶାଳୀ ଥିବାର ଭୂୟସୀ ପ୍ରଶଂସା ଏବେ ସ୍ଥାନୀୟ ପ୍ରାଚୀନ ବ୍ୟକ୍ତିମାନଙ୍କ ମୁଖରୁ ଶୁଣାଯାଏ । ଏବେମଧ୍ୟ ତାହାଙ୍କର ଗୁରୁଭକ୍ତିର ପ୍ରବଳ ପରିଚୟମିଳେ ।

 

ଦଶମବର୍ଷ ଅତିକ୍ରମ ନକରୁଣୁ କୁମାରଙ୍କର କର୍ଣ୍ଣ ବୋଧ ହୋଇଥିଲା । ଏତଦୁପଲକ୍ଷେ ସନ୍ତାନବତ୍ସଳ ନରପତି ଲକ୍ଷ୍ମୀନାରାୟଣ ଦେବ ମହାମହୋତ୍ସବର ଆୟୋଜନ କରିଥିଲେ । ତତ୍ପରେ ଉପଯୁକ୍ତ ବୟସରେ ବହୁ ଆଡ଼ମ୍ୱରର ସହିତ କୁମାରଙ୍କ ଉପନୟନ ବିଧି ସମ୍ପନ୍ନ ହୋଇଥିଲା ।

 

କୁମାର ଶୀକୃପାମୟ ଦେବଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିବା ନିମନ୍ତେ କେତେକଜଣ ରାଜା ପ୍ରସ୍ତାବକରି ଥିଲେ । ମାତ୍ର ମହାରାଜ ଲକ୍ଷ୍ମୀନାରାୟଣ ଦେବ ଉକ୍ତପ୍ରସ୍ତାବରେ ସମ୍ମତ ହେଲେନାହିଁ । କୁମାର ଶ୍ରୀ କୃପାମୟ ଦେବଙ୍କର ବୟସ ଯେତେବେଳେ ଦ୍ୱାଦଶବର୍ଷ, ତେତେବେଳେ । (ମହାରାଜ ଲକ୍ଷ୍ମୀନାରାୟଣ ଦେବଙ୍କ ପଟ୍ଟମହିଷୀଙ୍କ ଗର୍ଭ ଜାତ) ଯୁବରାଜ ରାଧାକୃଷ୍ଣ ଦେବ ଅଷ୍ଟବିଂଶତ ବର୍ଷ ବୟସରେ ପଦାର୍ପଣ କରିଥିଲେ । ଉକ୍ତ ବୟସରେ ଯୁବରାଜ ମହୋଦୟ ରୋଗ ପୀଡ଼ିତ ହୋଇ ନିଃସନ୍ତାନ ଅବସ୍ଥାରେ ସ୍ୱର୍ଗାରୋହଣ କରିବାରୁ କୁମାର ଶ୍ରୀ କୃପାମୟଦେବ ଯୁବରାଜ ପଦରେ ଅଭିଷିକ୍ତ ହେଲେ ।

 

ଶ୍ରୀ କୃପାମୟଦେବ ଯୁବରାଜ ପଦ ଲାଭ କଲେ ମଧ୍ୟ ଆନନ୍ଦୋତ୍‍ଫୁଲିତ ନହୋଇ ଜ୍ୟେଷ୍ଠଭ୍ରାତାଙ୍କ ଅକାଳବିୟୋଗ ଜନିତ ଦୁଃଖରେ ମୁନ୍ୟମାନ ହୋଇଥିଲେ । ଯାହାହେଉ କାଳକ୍ରମେ ସେହି ଶୋକର ଶାନ୍ତିହେଲା । ସେ ଯୁବରାଜ ହୋଇମଧ୍ୟ ସାଧାରଣ ରାଜକୁମାରମାନଙ୍କପରି ବିଳାସ ବ୍ୟସନରେ ଅଭିଭୂତ ନହୋଇ ପିତାମହାରାଜାଙ୍କ ବିଶେଷ ତତ୍ୱାବଧାନରେ ବାଲ୍ୟକାଳପତି ଭାଷା ଓ ସଂସ୍କୃତ କାବ୍ୟ, ନାଟକ, ବ୍ୟାକରଣ ଅଧ୍ୟୟନ ଏବଂ କୁସ୍ତି ପ୍ରଭୃତି ଦେଶୀୟ ବ୍ୟାୟାମ ଚର୍ଚ୍ଚା, ଗଜଶ୍ୱ ଆରୋହଣ ଓ ଶସ୍ତ୍ରାସ୍ତ୍ର ବିଦ୍ୟାଶିକ୍ଷାରେ ଦିନ ଯାପନ କରୁଥିଲେ । ମଧ୍ୟେ ମଧ୍ୟେ ଚିତ୍ତ ବିନୋଦନ ନିମିତ୍ତ ଛାନ୍ଦ ସଙ୍ଗୀତ ଚର୍ଚ୍ଚା ମଧ୍ୟ କରୁଥିଲେ । ମହାରାଜାଙ୍କ ଆଦେଶ ଅନୁସାରେ ଯୁବରାଜଙ୍କୁ ତାଙ୍କର ଅବସର କାଳରେ ଗଳ୍ପଛଳରେ ଧର୍ମ୍ମ ଓ ନୀତିଶିକ୍ଷାମଧ୍ୟ ଦିଆ ଯାଉଥିଲା ।

 

ଯୁବରାଜ ମହୋଦୟ ଷୋଡ଼ଶ ବର୍ଷ ବୟସରେ ପଠିତ ଗ୍ରନ୍ଥମାନଙ୍କରରେ ପ୍ରବୀଣତା ଲାଭକରି ଯୋଗ ପିତା ଏବଂ ଅପରାପର ବିହର୍ଜ୍ଜନମାନଙ୍କର ଆନନ୍ଦବର୍ଦ୍ଧନ କରିବାକୁ ସକ୍ଷମ ହୋଇଥିଲା ।

 

୧୮୯୨ ଖ୍ରୀଷ୍ଟାବ୍ଦର ଫାଲ୍‌ଗୁନ ପୂର୍ଣ୍ଣିମା ପରଦିବସ ମହାରାଜ ଲକ୍ଷ୍ମୀନାରାୟଣଦେବ ମହୋଦୟ ଜ୍ୱର ଓ କାସ ରୋଗରେ ପୀଡ଼ିତ ହେଲେ । ପ୍ରାୟ ୧୫ ଦିନ ପରେ ସେହି ଜ୍ୱର ବାହ୍ୟତଃ ଶାନ୍ତିଲାଭକରି କେବଳ ମହାଗତ ହୋଇ ରହିଲା, ଲୋକମାନେ ଜ୍ୱରର ବାହ୍ୟ ଲକ୍ଷଣ ନଦେଖି ମହାରାଜ ମହୋଦୟ ରୋଗମୁକ୍ତ ହୋଇଥିବାର ମନେକଲେ । ଜ୍ୱରର ପ୍ରବଳତା ଦୂରହେବାପରେ ଉପଶମ ହୋଇଥିବା କାସରୋଗ ଦେଖାଦେଇ କ୍ରମରେ ବୃଦ୍ଧିଲାଭକରି ଶ୍ୱାସ ରୋଗକୁ ମଧ୍ୟ ସହଚର କଲା । ମଧ୍ୟେ ମଧ୍ୟେ ଜ୍ୱରୋତ୍ତାପ ମଧ୍ୟ ଅନୁଭୂତ ହେଉଥାଏ । ଏଣେ କାସ ଶ୍ୱାସ ବୃଦ୍ଧି ସଙ୍ଗେ ସଙ୍ଗେ ଅରୁଚି ମଧ୍ୟ ଜାତହେଲା । ମହାରାଜ ରୋଗପୀଡ଼ିତ ଥିଲେ ମଧ୍ୟ ଆପଣାର ନିତ୍ୟକର୍ମ୍ମ ଓ ରାଜକାର୍ଯ୍ୟ ପୂର୍ବପରି ନିୟମିତରୂପେ ସମ୍ପନ୍ନ କରୁଥିଲେ । ରୋଗୋପଶମ ନିମନ୍ତେ ନାନାବିଧ ଔଷଧ ସେବନ ଏବଂ ଦୈବାନୁଷ୍ଠାନ ବିଷୟରେ କିଛିମାତ୍ର ତ୍ରୁଟି ପରିଲକ୍ଷିତ ହୋଇ ନଥିଲା । ମାତ୍ର କାହିଁରେ କିଛି ଫଳ ହେଲାନାହିଁ । ଦୀର୍ଘକାଳ ରୋଗଭୋଗ ଏବଂ ଅରୁଚି ବଶତଃ ଅନଶନହେତୁ ମହାରାଜାଙ୍କର ଶରୀର ଦିନକୁଦିନ ଶୀର୍ଣ୍ଣରୁ ଶୀର୍ଣ୍ଣତର ହେବାକୁ ଲାଗିଲା । ଶେଷରେ ସେ ମୁମୂର୍ଷୁ ଦଶାକୁ ପ୍ରାପ୍ତହେଲେ । ସେ ସମୟରରେ ସେ ରାଜପ୍ରାସାଦ ତ୍ୟାଗକରି ଶ୍ରୀ ଗୋବିନ୍ଦ ମନ୍ଦିରରେ ଅବସ୍ଥାନ କଲେ ଏବଂ ଆହାର ନିଦ୍ରା ପରିତ୍ୟାଗ କରି ଦେହତ୍ୟାଗ ସମୟ ପର୍ଯ୍ୟନ୍ତ ଈଶ୍ୱରାରାଧନାରେ ନିଯୁକ୍ତ ଥିଲେ । ସେ ସମୟରେ ଅନ୍ୟାନ୍ୟ ଲୋକମାନଙ୍କ ପରି ପିତୃଭକ୍ତ ଯୁବରାଜ ମଧ୍ୟ ମହାରାଜଙ୍କର ଅନ୍ତିମ ଅବସ୍ଥା ଅବଲୋକନ କରି ଚିନ୍ତାକୁଳ ଅବସ୍ଥାରେ କାଳଯାପନ କରୁଥାନ୍ତି । ସେ ମଧ୍ୟେ ମଧ୍ୟେ ନାନାପ୍ରକାର ଦୁଃସ୍ୱପ୍ନମାନ ଦେଖିବାରୁ ନିତ୍ୟ ତାଙ୍କର ଚିନ୍ତାବେଗ ବୃଦ୍ଧି ପାଉଥାଏ । ଦିନେ ସେ ସ୍ୱପ୍ନରେ ଦେଖିଲେ ଯେ ରାଜନବର କି ଏକ ଅପୂର୍ବ ଜ୍ୟୋତ୍ସ୍ନାଲୋକରେ ଆଲୋକିତ ହୋଇ ଅପରିଚିତ କମନୀୟ କାନ୍ତି ଯୁବକ ଯୁବତୀ ମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଅଛି । ନୃତ୍ୟଗୀତାଦିର ଚହଳ ପଡ଼ିଅଛି । ସେହି ଉତ୍ସବମଗ୍ନ ଜନତ ମଧ୍ୟରେ ଯୁବରାଜ ଆପଣାର ପିତୃଦେବଙ୍କୁ ଦର୍ଶନକରି ସ୍ୱପ୍ନରେ ତାଙ୍କର ସମୀପବର୍ତ୍ତୀ ହେବାକୁ ଇଚ୍ଛାକଲେ, ମାତ୍ର ତାଙ୍କପ୍ରତି କେହି ଦୁଷ୍ଟିପାତ କଲେନାହିଁ । ସୁତରାଂ ଯୁବରାଜ କିଛି ଦୂରରେ ରହି ଉକ୍ତ ଘଟନା ଅବଲୋକନ କରୁଥାନ୍ତି । କିଛିକ୍ଷଣ ପରେ ସେହି ଉତ୍ସବମଗ୍ନ ନରନାରୀଙ୍କ ସହିତ ମହାରାଜ ଏକ ପ୍ରକାଣ୍ଡ ଅଥଚ ପ୍ରଭାମୟ ସ୍ୟନ୍ଦନରେ ଆରୋହଣକରି ଆକାଶ ପଥକୁ ଉତ୍‌ଥିତ ହେଲେ । ଅଳ୍ପକ୍ଷଣପରେ ସ୍ୟନ୍ଦନ ସହିତ ଆକାଶମାର୍ଗରେ ଅଦୃଶ୍ୟ ହେଲେ । ତତ୍ପରେ ଆକାଶ ଅନ୍ଧକାରାଚ୍ଛନ୍ନ ହୋଇ ଘୋର ବର୍ଷା ଆରମ୍ଭହେଲା, ଏବଂ ଦିଗପହଣ୍ଡି ଦୁର୍ଗରେ ଗମ୍ଭୀର ଗର୍ଜ୍ଜନସହ ଅନବରତ ବଜ୍ରପାତ ହେବାକୁ ଲାଗିଲା । ଦେଖୁଦେଖୁ ରାଜଧାନୀ ବୃଷ୍ଟିଜଳଦ୍ୱାରା ସମୁଦ୍ରରେ ପରିଣତହେଲା । ଯୁବରାଜ ସେହି ଜଳରାଶି ଉପରେ ଉତ୍ତାନଭାବରେ ଭାସମାନ ହେଲେ । କିଛିକ୍ଷଣପରେ କେଉଁଦିଗରୁ ପତାକାପରିଶୋଭିତ ଖଣ୍ଡେ ବାଷ୍ପୀୟ ଜଳଯାନ ଆସି ଭାସମାନ ଉକ୍ତ ରାଜକୁମାରଙ୍କୁ ଉଦ୍ଧାରକଲା । ଏହି ସମୟରେ ସହସା ଯୁବରାଜଙ୍କର ନିଦ୍ରା ଭଙ୍ଗ ହେବାରୁ ଦାରୁଣ ମନୋବେଦନା ଭୋଗକରି ନାନା ପ୍ରକାର ଦୁଶ୍ଚିନ୍ତାରେ ମଗ୍ନହେଲେ ଏବଂ ଉନ୍ନିଦ୍ର ଅବସ୍ଥାରେ ଅବଶିଷ୍ଟ ରଜନୀ ଅତିବାହିତ କଲେ ।

 

ଯୁବରାଜମହୋଦୟ ଆଷାଢ଼ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ରାତ୍ରରେ ଉପରୋକ୍ତ ସ୍ୱପ୍ନ ଦେଖିଥିଲେ । ତହିଁ ପରଦିବସ ସୂର୍ଯ୍ୟାସ୍ତ ସଙ୍ଗେ ସଙ୍ଗେ ପରମଧାର୍ମ୍ମିକ ରାଜର୍ଷି ଲକ୍ଷ୍ମୀନାରାୟଣ ଦେବଙ୍କ ପବିତ୍ରାତ୍ମା ଅମରଧାମକୁ ଚାଲିଗଲା । ଠିକ୍‍ ସେହି ସମୟରେ ରାଜ୍ୟ ଓ ରାଜଧାନୀରେ ପ୍ରବଳ ଭୂମିକମ୍ପ ହୋଇଥିଲା ଏବଂ ଭୂଗର୍ଭରୁ ଗଭୀର ଗର୍ଜନ ଉତ୍ଥିତ ହୋଇଥିଲା ।

 

ମହାରାଜଙ୍କର ଦେହାନ୍ତର ସମ୍ବାଦ ଶ୍ରବଣରେ କ୍ରମରେ ରାଜପୁର, ରାଜଧାନୀ ଓ ସମସ୍ତ ଜନପଦ ହାହାକାର ଭାବରେ ପୂର୍ଣ୍ଣହେଲା, ସମସ୍ତଙ୍କ ନୟନ ଲୋତକରେ ପରିପୂର୍ଣ୍ଣ ହେଲା । ପିତୃଭକ୍ତ ଶ୍ରୀ କୃପାମୟ ଦେବ ପିତୃ ବିୟୋଗ ହେତୁ ଶୋକରେ ମୁହ୍ୟମାନ ହେଲେ । ତଦନନ୍ତର ଯଥାବିଧାନରେ କୌଳିକ ପ୍ରଥାନୁସାରେ କୁମାର ଶ୍ରୀ କୃପାମୟଦେବ ସିଂହାସନାରୋହଣ କରିବା ପରେ ରାଜଶବ ଶ୍ମଶାନକୁ ନୀତିହେଲା । ତେତେବେଳେ କୁମାରଙ୍କ ବୟଃକ୍ରମ ଷୋଡ଼ଶବର୍ଷ ମାତ୍ର-

 

ନବୀନ ନରପତି ଶ୍ରୀକୃପାମୟ ଦେବ ଅପ୍ରାପ୍ତବୟସ୍କ ଥିବାହେତୁ ଜିଲ୍ଲାର କଲେକ୍ଟର ସାହେବ ଆସି ସମସ୍ତ ବିଷୟ ବୁଝି ରାଜ୍ୟ କୋର୍ଟ ଅବ୍‌ ୱାର୍ଡ଼ସରଂ ଅଧୀନ କଲେ ତେତେବେଳକୁ ରାଜ୍ୟର ୠଣ ପରିମାଣ ପ୍ରାୟ ଦୁଇଲକ୍ଷ ଟଙ୍କା ଥିଲା । ପରଲୋକଗତ ନରପତି ଉକ୍ତ ଟଙ୍କାର ଅଧିକାଂଶ ଦାନପୁଣ୍ୟ; ଦେବତା ଓ ବ୍ରାହ୍ମଣ ବୈଷ୍ଣବ ସେବାରେ ବ୍ୟୟ କରିଥିଲେ ।

 

ବଡ଼ଖେମଣ୍ଡି ରାଜ୍ୟ କୋର୍ଟ ଅବ୍‌ ୱାର୍ଡ଼ସ ଅଧୀନରେ ଆସିଲାରୁ ଅପ୍ରାପ୍ତବୟସ୍କ ମହାରାଜ ଶ୍ରୀ କୃପାମୟଦେବ ବ୍ରହ୍ମପୁର ଯାଇ ସେଠାରେ ଅନ୍ୟାନ୍ୟ ରାଜା ଓ ରାଜ କୁମାରମାନଙ୍କ ସହିତ ବିଦ୍ୟାଧ୍ୟୟନ କରିବାକୁ ଲାଗିଲେ କିଛିକାଳପରେ ଉକ୍ତ ବିଦ୍ୟାଳୟ ଛତ୍ରପୁରକୁ ସ୍ଥାନାନ୍ତରିତ ହେଲା । ଶିକ୍ଷକପଦରେ ଶ୍ରୀଯୁକ୍ତ ଭଗବତୀ ଚରଣ ଚଟ୍ଟୋପାଧ୍ୟାୟ (ଗଞ୍ଜାମ ଜିଲ୍ଲାର ସ୍କୁଲ ସବ୍‌ ଆସିଷ୍ଟାଣ୍ଟ ଇନ୍‌ସ୍ପେକ୍ଟର) ଏବଂ ବ୍ରହ୍ମପୁରର ଶ୍ରୀଯୁକ୍ତ ନ୍ୟାୟପତି କରିବରଦ ପଣ୍ଡିତ ନିଯୁକ୍ତଥିଲେ । ଶିକ୍ଷକମାନେ ସର୍ବତୋଭାବରେ ଉପଯୁକ୍ତଥିବା ଏବଂ ମହାରାଜାଙ୍କର ସ୍ମରଣଶକ୍ତି ଅତ୍ୟନ୍ତ ପ୍ରଖର ଥିବାହେତୁ ଅଳ୍ପକାଳ ମଧ୍ୟରେ ସେମାନଙ୍କ ଶିକ୍ଷାଧୀନରେ ନାନାବିଷୟକ ଅଭିଜ୍ଞତା ଉପାର୍ଜ୍ଜନ କରିଥିଲେ । (ତାଙ୍କର ସ୍ମରଣଶକ୍ତି ସମ୍ବନ୍ଧରେ ଏତିକି କହିଲେ ଯଥେଷ୍ଟ ହେବ ଯେ ତାଙ୍କର ପଞ୍ଚମବର୍ଷ ବୟସ ସମୟର ପ୍ରଧାନ ପ୍ରଧାନ ଘଟନାମାନ ସେ ଅଦ୍ୟାପି ସ୍ମରଣ ରଖିଅଛନ୍ତି ।) ମହାରାଜ ମହୋଦୟ ବ୍ରହ୍ମପୁର ଓ ଛତ୍ରପୁର ଠାରେ ପ୍ରାୟ ୭ବର୍ଷ କାଳ ଅଧ୍ୟୟନ କରି ପ୍ରାପ୍ତବୟସ୍କ ହେଲାରୁ ସ୍ୱରାଜ୍ୟକୁ ପ୍ରତ୍ୟାବୃତ୍ତ ହେଲେ । ବର୍ତ୍ତମାନ କାଳରେ ଶିକ୍ଷା ଶେଷରେ ଗୁରୁଦକ୍ଷିଣା ଦେବା ରୀତି ଏଦେଶରୁ ଏକାବେଳକେ ଉଠିଯାଇଅଛି କହିଲେ ଚଳେ, କିନ୍ତୁ ଶ୍ରୀ କୃପାମୟଦେବ ରାଜ୍ୟଭାର ଗ୍ରହଣପରେ ଯଥୋଚିତ ଗୁରୁଦକ୍ଷିଣା ପ୍ରଦାନକରି ପ୍ରାଚୀନ ପ୍ରଥାର ମର୍ଯ୍ୟାଦାରକ୍ଷା କରିଅଛନ୍ତି । ତହିଁର ବିବରଣ ସ୍ଥାନାନ୍ତରରେ ଲିଖିତହେବ ।

 

ମହାରାଜ ଶ୍ରୀ କୃପାମୟ ଦେବ ପ୍ରାପ୍ତ ବୟସ୍କ ହେଲାରୁ ୧୮୯୮ ଖ୍ରୀଷ୍ଟାବ୍ଦ ଜୁଲାଇ ମାସ ୧ ତାରିଖରେ ରାଜ୍ୟଭାର ଗ୍ରହଣକଲେ । ତଦୁପଲକ୍ଷେ ରାଜଧାନୀରେ ମହାମହୋତ୍ସବ ହୋଇଥିଲା-। ମହାରାଜାମହୋଦୟ ରାଜ୍ୟଭାର ସ୍ୱହସ୍ତରେ ଗ୍ରହଣ କରିବାର ଦେଖି ପ୍ରଜାମଣ୍ଡଳୀ ପରମାନନ୍ଦିତ ହେଲେ । ସେ ରାଜ୍ୟଭାର ଗ୍ରହଣ କରିବା ବେଳକୁ ପୂର୍ବୠଣ ମଧ୍ୟରୁ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ପରିଶୋଧ କରିବାକୁ ବାକୀଥିଲା । ସର୍ବାଦୌ ସେହିୠଣ ପରିଶୋଧ କରିବା ପ୍ରତି ମହାରାଜମହୋଦୟ ବିଶେଷ ମନୋଯୋଗୀ ହେଲେ । ସୁଖର ବିଷୟ ସେ ସତର୍କତା ଏବଂ ମିତବ୍ୟୟିତା ଗୁଣରେ ପ୍ରୟୋଜନୀୟ ସମସ୍ତ ବ୍ୟୟ ନିର୍ବାହ କରି ସୁଦ୍ଧା ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଋଣମୁକ୍ତ ହେଲେ । ତତ୍ପରେ ସଞ୍ଚୟ, ରାଜଗୃହ ଓ ରାଜୋପକରଣର ଅଭାବପୂରଣ ଏବଂ ରାଜ୍ୟର ଅଭ୍ୟନ୍ତରିଣ ଉନ୍ନତିସାଧନ ବିଷୟରେ ଦତ୍ତମନା ହେଲେ । ରାଜଗୃହ ପର୍ଯ୍ୟାପ୍ତ ପରିମାଣରେ ନଥିଲା, ପୁଣି ଯାହାଥିଲା ତହିଁର ଅଧିକାଂଶ ମୃତ୍ତିକା ନିର୍ମ୍ମିତ । ସେହି ଗୃହଗୁଡ଼ିକ ଭାଙ୍ଗି, ନୂତନକରି ପକ୍କାଗୃହ ନିର୍ମାଣ କରିବାପ୍ରତି ମହାରାଜମହୋଦୟ ମନୋଯୋଗୀ ହେଲେ । ଏହି ୧୧ ବର୍ଷ ବ୍ୟାପୀ ରାଜତ୍ୱକାଳ ମଧ୍ୟରେ ଉକ୍ତ ଅଭାବ ଅନେକ ପରିମାଣରେ ଦୂର ହୋଇଅଛି-। ଏଥିସକାଶ ଏପର୍ଯ୍ୟନ୍ତ ଅନୁମାନ ୧ ଲକ୍ଷ ଟଙ୍କା, ପ୍ରୟୋଜନୀୟ ଗୃହୋପକରଣ ସଂଗ୍ରହରେ ୪୦।୫୦ ହଜାର ଟଙ୍କା ବ୍ୟୟିତ ହୋଇଥିବ । ଏହାଭିନ୍ନ ବ୍ରହ୍ମପୁରଠାରେ ୭୦। ୮୦ ହଜାର ଟଙ୍କା ବ୍ୟୟରେ ଗୋଟିଏ ବଙ୍ଗଳା କ୍ରୟ କରାଯାଇ ଅଛି । ହସ୍ତୀ, ଘୋଟକ, ଅଶ୍ୱଶକଟ, ମଟରକାର ପ୍ରଭୃତି କ୍ରୟ ବାବତରେ ବହୁସହସ୍ରଟଙ୍କା ବ୍ୟୟିତ ହୋଇଅଛି । ପୁଣି ରାଜ୍ୟର କୃଷିଉନ୍ନତିର ସୁବିଧା ନିମନ୍ତେ ରାଜ୍ୟର ନାନାସ୍ଥାନରେ ଥିବା ଜଳଭଣ୍ଡାରମାନ ମରାମତି କରାଇବା, ସ୍ଥଳବିଶେଷରେ ନୂତନ ନୂତନ ଜଳଭଣ୍ଡାରମାନ ସ୍ଥାପନ କରିବା ଏବଂ ଗୋଟିଏ କେନାଲ ଖନନ କରାଇବା ବିଷୟରେ ଲକ୍ଷାଧିକ ଟଙ୍କା ବ୍ୟୟକରି ଅଛନ୍ତି ।

 

ମହାରାଜାଙ୍କ ବ୍ୟୟରେ ରାଜଧାନୀର ବିଭିନ୍ନସ୍ଥାନରେ ତିନିଗୋଟି ଉଦ୍ୟାନ ସ୍ଥାପିତ ହୋଇଅଛି । ତହିଁରେ ଦେଶୀ ବିଦେଶୀ ବୃକ୍ଷଲତା ରୋପିତ ହୋଇଅଛି ଏବଂ କୋବି, ମଟର, ଶାଲଗମ ଏବଂ ବାର୍ତ୍ତାକୀ ପ୍ରଭୃତି ଦେଶୀ ବିଦେଶୀ ଫଳମୂଳର ଚାଷ ଆବାଦ ହେଉଅଛି । ବଗିଚାରେ କୋବି ପ୍ରଭୃତିର ଚାଷ ଆବାଦ ହେବାର ଦେଖି ପ୍ରଜାମାନେ ମଧ୍ୟ ନିଜ ନିଜ ବାଡ଼ିରେ କୋବି, ଆଳୁ ପ୍ରଭୃତି ଲଗାଇବା ଆରମ୍ଭ କରି ଅଛନ୍ତି । ୧୦ । ୧୨ ବର୍ଷ ପୂର୍ବେ ଏଅଞ୍ଚଳରେ କୋବି, ଶାଲଗମ ପ୍ରଭୃତି ନିତାନ୍ତ ଅପରିଚିତ ଥିଲା । ମହାରାଜାଙ୍କ ଯତ୍ନରେ ଏବେ ତାହା ସୁପରିଚିତ ହୋଇଅଛି । ଏବେ କ୍ରମରେ ଉଦ୍ୟାନସଂଖ୍ୟା ବୃଦ୍ଧିର ଚେଷ୍ଟାହେଉଅଛି ।

 

ମହାରାଜ ଶ୍ରୀ କୃପାମୟଦେବ ସ୍ୱର୍ଗୀୟ ନରପତିଙ୍କପରି ଧର୍ମ୍ମପରାୟଣ ଅଟନ୍ତି । ସେ ପ୍ରତ୍ୟହ ଦେବୋପାସନାରେ ଅନ୍ୟୂନ ୩ ଘଣ୍ଟା କାଳ ଅତିବାହିତ କରନ୍ତି ଏବଂ ରାଜପ୍ରାସାଦ ମଧ୍ୟଗତ ସମସ୍ତ ଦେବାଳୟକୁ ଯାଇ ଦୁଇଓଳୀ ଦେବଦର୍ଶନ କରନ୍ତି । ପ୍ରାତଭୋଜନ ପୂର୍ବେ ୪ ଜଣ ଗରୀବ ବ୍ରାହ୍ମଣଙ୍କ ଭୋଜନ ନିମନ୍ତେ ଏକଟଙ୍କା ମୂଲ୍ୟର ଚାରିଗୋଟି ସଞ୍ଚା ପ୍ରଦାନ କରିଥାନ୍ତି । ଶ୍ରାଦ୍ଧ ତର୍ପଣାଦି କାର୍ଯ୍ୟ ପ୍ରତିନିଧିମାନଙ୍କ ଦ୍ୱାରା ନକରାଇ ନିଜେ କରିଥାନ୍ତି । ଦେବତା ମାନଙ୍କ ଭୋଗ ନିମନ୍ତେ ନୂତନକରି ଅନେକ ଖଞ୍ଜା ଖଞ୍ଜି ଦେଇ ସେବାପୂଜାର ସୁବ୍ୟବସ୍ଥା କରିଦେଇ ଅଛନ୍ତି-। ଶୁଭାଶୁଭ କାର୍ଯ୍ୟ ସମୟରେ ବିଶେଷ ଭୋଗମଧ୍ୟ ହୋଇଥାଏ । ଏହାଭିନ୍ନ ପୁରାତନ କେତେକ ମନ୍ଦିରର ଜୀର୍ଣ୍ଣସଂସ୍କାର କରାଇ ଅଛନ୍ତି । ପକ୍କାର ରୋଷଘରମାନ ପ୍ରସ୍ତୁତ କରାଇ ଅଛନ୍ତି-। ବର୍ତ୍ତମାନ ଦୁଇଗୋଟି ମନ୍ଦିରର ନିର୍ମାଣକାର୍ଯ୍ୟ ଓ ଦଧିବାମନ ମନ୍ଦିରର ଅପୂର୍ଣ୍ଣାଂଶର ପୂରଣ କାର୍ଯ୍ୟ ଲାଗିଅଛି । ଏଠାରେ ଓ ମୋଫସଲରେ ମନ୍ଦିର ନିର୍ମାଣ ସମ୍ବନ୍ଧରେ ଆଜିସୁଦ୍ଧା ଯାହା ବ୍ୟୟ ହୋଇଅଛି ତହିଁର ପରିମାଣ ଅନୁମାନ ୧୦ ହଜାର ଟଙ୍କା ହେବ । ବର୍ତ୍ତମାନ ରାଜଧାନୀରେ ଗୋଟିଏ ଧର୍ମ୍ମଶାଳା ନିର୍ମ୍ମାଣ କରାଉ ଅଛନ୍ତି । ମହାରାଜାଙ୍କର ଦେବତା ବ୍ରାହ୍ମଣମାନଙ୍କପ୍ରତି ଅଚଳା ଭକ୍ତି । ଜଣେ ଫଳାହାରୀ ବୈଷ୍ଣବଙ୍କୁ ବହୁଦିନହେଲା ନିଜର ସିଂହଦ୍ୱାର ନିକଟରେ ରଖି ଅଛନ୍ତି । ନବାଗତ ବୈଷ୍ଣବମାନଙ୍କୁ ମଧ୍ୟ ସମାଦର ପୂର୍ବକ ଅନେକଦିନ ରଖି ସେମାନଙ୍କୁ ପାଥେୟ, ଶୀତ ବସ୍ତ୍ରାଦି ଦାନକରିଥାନ୍ତି । କାର୍ତ୍ତିକମାସରେ ଶ୍ରୀମଦ୍‌ ଭାଗବତ ଶ୍ରବଣ ଓ ପଞ୍ଚକ ହବିଷ୍ୟ କରିଥାନ୍ତି ଏବଂ ଷଡ଼ଜୟନ୍ତୀସହ ୨୪ ଏକାଦଶୀ ଓ ଅନ୍ୟାନ୍ୟ କେତେକ ବ୍ରତୋପବାସ ଅତ୍ୟନ୍ତ ନିଷ୍ଠାର ସହିତ କରିଥାନ୍ତି । ଅତିଥି ଅଭ୍ୟାଗତମାନଙ୍କ ଭୋଜନ ନିମନ୍ତେ ଦୈନିକ ଦୁଇଟଙ୍କା ପର୍ଯ୍ୟନ୍ତ ମହାରାଜମହୋଦୟଙ୍କ ଆଦେଶର ଅପେକ୍ଷା ନକରି ବ୍ୟୟକରି ପାରିବା ଭାର ଜନୈକ କର୍ମ୍ମଚାରୀଙ୍କପ୍ରତି ଅର୍ପଣ କରାଯାଇଅଛି । ଦାନ, ହୋମ, ବ୍ରାହ୍ମଣଭୋଜନ ଏଠାର ପ୍ରାତ୍ୟାହିକ କାର୍ଯ୍ୟ କହିଲେ ଚଳେ । ନାନାସ୍ଥାନର ଦେବତା ମାନଙ୍କ ଭୋଗନିମନ୍ତେ ପ୍ରାୟ ୪ ହଜାର ଭରଣ ଭୂମି ଦାନକରି ଥିବେ ।

 

ମହାରାଜା ଜଣେ ବ୍ରାହ୍ମଣ ପ୍ରିୟଥିବାରୁ ପୂର୍ବପରିଚ୍ଛେଦରେ ପ୍ରକାଶ କରିଅଛୁଁ । ସେ ଗରୀବ ବ୍ରାହ୍ମଣମାନଙ୍କ ରକ୍ଷାସକାଶେ ଗୋଟିଏ ଶାସନ ବସାଇ ୧ ହଜାର ଭରଣ ଭୂମି ପ୍ରଦାନ କରିଅଛନ୍ତି । ଏହା ଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ବାସକରୁଥିବା ବ୍ରାହ୍ମଣମାନଙ୍କୁ ମଧ୍ୟ ୨ ହଜାର ଭରଣ ଅଭିମିତ ଭୂମି ନିଷ୍କର ଭାବରେ ପ୍ରଦାନ କରିଅଛନ୍ତି । ବ୍ରତବିବାହାଦି ଶୁଭାଶୁଭ କାର୍ଯ୍ୟର ସାହାଯ୍ୟ ସ୍ୱରୂପ ଅନେକ ଲୋକ ଅନେକ ପ୍ରକାର ମୂଲ୍ୟବାନ ସାହାଯ୍ୟ ପାଇଥାନ୍ତି । କାର୍ତ୍ତିକମାସରେ ଅନେକ ବ୍ରାହ୍ମଣ ହବିଷ୍ୟ ଖରଚ ପାଇଥାନ୍ତି ।

 

ମହାରାଜ ମହୋଦୟ ନାମରେ ଯେପରି କୃପାମୟ କାର୍ଯ୍ୟରେ ମଧ୍ୟ ସେହିପରି କୃପାମୟ । ସେ ଦୁଃଖୀ ଦରିଦ୍ରମାନଙ୍କୁ ବାଟଘାଟରେ ଦେଖିଲେ ବା ସେପରି ଲୋକର କଥା କାହାଠାରୁ ଶ୍ରବଣକଲେ ନିକଟକୁ ଡକାଇ ଯଥୋଚିତ ସାହାଯ୍ୟ ପ୍ରଦାନ କରିଥାନ୍ତି । ସ୍ପର୍ଶଜାତିର ଅନାଥବାଳକ ବାଳିକାମାନଙ୍କୁ ନିଜ ନଗରରେ ନିଜର ତତ୍ୱାବଧାନରେ ରଖିଥାନ୍ତି । ବୟସ କିଛି ବେଶୀହେଲାରୁ ନିଜଆଶ୍ରୟରେ ନଗର ବାହାରେ ରଖାନ୍ତି, ପରେ ବୟଃପ୍ରାପ୍ତ ହେଲାରୁ ବିବାହ କରାଇ ଦିଅନ୍ତି ଏବଂ ସେମାନଙ୍କ ଯଥୋଚିତ କାର୍ଯ୍ୟରେ ନିଯୁକ୍ତ କରନ୍ତି, ଅସ୍ପର୍ଶ୍ୟ ଜାତିର ଅସହାୟ ନରନାରୀ ବାଳକ ବାଳିକାମାନେ ମଧ୍ୟ ବାହାରେଥାଇ ଅନ୍ନବସ୍ତ୍ର ପାଇଥାନ୍ତି । ଗଡ଼ର ଅନେକ ଗରୀବ ଲୋକ ରାଜ ଦେଶକ୍ରମେ ଦେବାଳୟମାନଙ୍କରେ ଦୁଇଓଳି ପ୍ରସାଦ ସେବାକରି ପ୍ରାଣଧାରଣ କରୁଅଛନ୍ତି । ଅନେକ ଗରୀବ ପରିବାର ମାସିକ, ବାର୍ଷିକ ବୃତ୍ତି ପାଉଅଛନ୍ତି । ଆଶ୍ରାୟିତ ଅବସ୍ଥାପନ୍ନ ବ୍ୟକ୍ତିମାନେ ଅସମୟରେ ନିଜନିଜର ଦୂରବସ୍ଥା ଜଣାଇ ସାମୟିକ ସାହାଯ୍ୟ ପାଇଥାନ୍ତି । ଅତି ଗରୀବମାନେ କେବଳ ଅନ୍ନସାହାଯ୍ୟନୁହେ, ସମୟେ ସମୟେ ଅର୍ଥ ଓ ବସ୍ତ୍ର ସାହାଯ୍ୟ ସୁଦ୍ଧା ପାଇଥାନ୍ତି । ବିଦେଶାଗତ ଗରୀବମାନ ମଧ୍ୟ ଯଥୋଚିତ ସାହାଯ୍ୟ ପାଇଥାନ୍ତି । ସ୍ଥାନୀୟ ବିଧବାମାନେ ରାଜକୀୟ ବାର୍ଷିକ ବୃତ୍ତିଲାଭ କରିବାର ସୁବ୍ୟବସ୍ଥା ହୋଇଅଛି, ଅଧିକନ୍ତୁ ବ୍ରାହ୍ମଣୀ ବିଧବାମାନେ କାର୍ତ୍ତିକ ମାସରେ ହବିଷ୍ୟ ଖରଚ ପାଇଥାନ୍ତି ।

 

ରାଜଧାନୀରେ ପ୍ରାଚୀନ ରୀତିର କେତେଗୋଟି ପାଠଶାଳା ଥିଲା । ତାହାଦ୍ୱାରା ଶିକ୍ଷାର ଅଭିବୃଦ୍ଧି ହେବା ଅସମ୍ଭବ ମନେକରି ଗୋଟିଏ ଏଙ୍ଗ୍‍ଲୋ ଭର୍ଣ୍ଣାକ୍ୟୁଲର ସ୍କୁଲ ନିଜ ପିତୃଦେବଙ୍କ ନାମଯୁକ୍ତ କରି ସ୍ଥାପନ କରିଅଛନ୍ତି । ସଂସ୍କୃତଶିକ୍ଷାର କୌଣସି ସୁବିଧା ନଥିବାହେତୁ ରାଜଧାନୀସ୍ଥ ଚୈତନ୍ୟପୁର ଶାସନରେ ଗୋଟିଏ ସଂସ୍କୃତ ଟୋଲ ପ୍ରତିଷ୍ଠା କରିଦେବାରୁ ବ୍ରାହ୍ମଣ ବାଳକମାନେ ବ୍ୟାକରଣ, କାବ୍ୟନାଟକାଦି ଅଧ୍ୟୟନ କରି ଅଭିଜ୍ଞତା ଉପାର୍ଜ୍ଜନ କରୁଅଛନ୍ତି । ବର୍ଷାଧିକ କାଳହେଲା ରାଜଧାନୀରେ ଗୋଟିଏ ବାଳିକା ବିଦ୍ୟାଳୟ ଏବଂ ଶ୍ରମଜୀବି ବାଳକମାନଙ୍କ ଶିକ୍ଷାର ସୁବିଧା ନିମନ୍ତେ ଗୋଟିଏ ନୈଶ ବିଦ୍ୟାଳୟ ସ୍ଥାପିତ ହୋଇଅଛି । ସୁଖର ବିଷୟ, ସମସ୍ତ ବିଦ୍ୟାଳୟ ଛାତ୍ର ଛାତ୍ରୀରେ ପରିପୂର୍ଣ୍ଣ । ଇଂରେଜି ଏବଂ ସଂସ୍କୃତ ସ୍କୁଲର କ୍ରମୋନ୍ନତି ସାଧନ ବିଷୟରେ ମହାରାଜ ମହୋଦୟଙ୍କର ବିଶେଷ ଆଗ୍ରହ ପରିଲକ୍ଷିତହୁଏ । ଉକ୍ତ ମହୋଦୟ ଜନସାଧାରଣଙ୍କର ଭାଷା, ଧର୍ମ୍ମ, ନୀତି ଏବଂ ଜ୍ଞାନଇ ଅଭିବୃଦ୍ଧି ନିମନ୍ତେ ନିଜ ରାଜଧାନୀରେ ଗୋଟିଏ ମୁଦ୍ରାଯନ୍ତ୍ର ଓ ଗୋଟିଏ ରଙ୍ଗାଳୟ ସ୍ଥାପନ କରିଅଛନ୍ତି । ମୁଦ୍ରାଯନ୍ତ୍ର ସାହାଯ୍ୟରେ ନାନାପ୍ରକାର ପୁସ୍ତକ ଏବଂ ‘‘ଗଞ୍ଜାମ ଗୁଣଦର୍ପଣ’’ ନାମକ ଖଣ୍ଡିଏ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶିତ ହେଉଅଛି । ରଙ୍ଗାଳୟରେ ଭକ୍ତି ଓ ନୀତି ବିଷୟକ ନାଟକମାନ ଆଧୁନିକ ରୀତିରେ ଅଭିନୀତ ହେଉଥିବାରୁ ଲୋକମାନଙ୍କ ଶିକ୍ଷାବୃଦ୍ଧି ସଙ୍ଗେ ସଙ୍ଗେ ପ୍ରାଚୀନ ରୀତିର ଯାତ୍ରାସୁଆଙ୍ଗପ୍ରତି ଅରୁଚିଜାତ ହେଉଥିବାର ଦେଖାଯାଏ । ‘‘ଗୁଣଦର୍ପଣ’’ ପାଠକରିବା ଦ୍ୱାରା ଲୋକମାନଙ୍କର ଭାଷାଜ୍ଞାନ ବଢ଼ୁଅଛି, ଦେଶ ଓ ଜାତିପ୍ରତି ମମତାର କ୍ରମୋଦ୍ରେକ ହେଉଅଛି । ପ୍ରେସ ସ୍ଥାପନ ଓ ପତ୍ରିକା ପ୍ରକାଶ ଉପଲକ୍ଷେ ମହାରାଜ ମହୋଦୟ ପ୍ରତିବର୍ଷ ପ୍ରାୟ ଦେଢ଼ ହଜାରଟଙ୍କା ବ୍ୟୟ କରୁଅଛନ୍ତି । ପୂର୍ବେ ମହାରାଜାମହୋଦୟଙ୍କ ଆନୁକୁଲ୍ୟରେ ବ୍ରହ୍ମପୁରଠାରୁ ‘‘ଗଞ୍ଜାମ ଓଡ଼ିଶା ହିତବାଦିନୀ’’ ପତ୍ରିକା ପ୍ରଚାରିତ ହେଉଥିଲା ।

 

ମହାରାଜା ଶ୍ରୀ କୃପାମୟଦେବ ଶିକ୍ଷୋନ୍ନତି ବିଷୟରେ ନିଜ ରାଜଧାନୀରେ କେତେକଗୋଟି ବିଦ୍ୟାଳୟ ମାତ୍ର ସ୍ଥାପନକରି ନିଶ୍ଚିନ୍ତ ନୁହନ୍ତି । ସେ ଗଞ୍ଜାମର ରାଜକୁମାରମାନଙ୍କ ଶିକ୍ଷାନିମନ୍ତେ ମହାମାନ୍ୟ ଭାରତେଶ୍ୱର ସପ୍ତମ ଏଡ଼ୋୟାର୍ଡଙ୍କ ରାଜ୍ୟାଭିଷେକ ଉତ୍ସବ ସମୟରେ ୬ ହଜାର ଟଙ୍କା ବ୍ୟୟରେ ବହ୍ମପୁରଠାରେ ରାଜକୁମାରସ୍କୁଲ ନିର୍ମ୍ମାଣ କରାଇ ଦେଇଥିଲେ । ଛାତ୍ରାଭାବ ହେତୁ ସେହି ସ୍କୁଲର କାର୍ଯ୍ୟ ବନ୍ଦହେବାରୁ ମହାରାଜ ମହୋଦୟ ଉକ୍ତ ଗୃହ ବ୍ରହ୍ମପୁର କଲେଜର ‘‘ମିଉଜିୟମ’’ ଗୃହରେ ପରିଣତ କରାଯିବା ନିମନ୍ତେ (୧୯୦୯ ଖ୍ରୀଃ ରେ ମହାମାନ୍ୟ ମାନ୍ଦ୍ରାଜଗବର୍ଣ୍ଣର ବ୍ରହ୍ମପୁର ଆଗମନ କରିଥିବା ସମୟରେ) ଅଙ୍ଗୀକାର କରି ଅଛନ୍ତି, ଏବଂ ଉକ୍ତଗୃହକୁ ତଦୁପଯୋଗୀକରି ମରାମତି କରିବା ନିମନ୍ତେ ଏକହଜାର ଟଙ୍କା ବ୍ୟୟମଞ୍ଜୁର କରି ଅଛନ୍ତି । ଏହାଭିନ୍ନ ଗଞ୍ଜାମଓଡ଼ିଆ ଛାତ୍ରବୃତ୍ତି ଫଣ୍ଡକୁ ବାର୍ଷିକ ୫୦୦ ଟଙ୍କା ଦେଇଥାନ୍ତି, ଏବଂ ସ୍ୱାଧୀନଭାବରେ ଜାତିଧର୍ମ ନିର୍ବ୍ବିଶେଷରେ ନାନାସ୍ଥାନର ଉଚ୍ଚଶିକ୍ଷାର୍ଥୀ ଛାତ୍ରମାନଙ୍କ ଶିକ୍ଷା ସାହାଯ୍ୟାର୍ଥ ବୃତ୍ତି ଓ ସାମୟିକ ସାହାଯ୍ୟ ବାବତରେ ବାର୍ଷିକ ଆଉ ପ୍ରାୟ ୫୦୦ ଟଙ୍କା ବ୍ୟୟ କରିଥାନ୍ତି । ତାଙ୍କର ପୂର୍ଣ୍ଣ ଓ ଆଂଶିକ ସାହାଯ୍ୟରେ କେତେକ ଜଣ ଛାତ୍ର ଗ୍ରାଜୁଏଟ, ଅଣ୍ଡର ଗ୍ରାଜୁଏଟ ଅର୍ଥାତ୍‌ ଉଚ୍ଚ ଶିକ୍ଷିତ ହୋଇ ଅଛନ୍ତି । ଗଞ୍ଜାମରେ ସ୍ତ୍ରୀଶିକ୍ଷା ବିସ୍ତାର ନିମନ୍ତେ ପାଣ୍ଠି ସ୍ଥାପିତ ହେଲେ ମହାରାଜମହୋଦୟ ଉକ୍ତ ପାଣ୍ଠି ନିମନ୍ତେ ୧ ହଜାର ଟଙ୍କା ଦେବାକୁ ଅଙ୍ଗୀକାର କରିଅଛନ୍ତି-

 

ମହାରାଜ ମହୋଦୟ କେତେବର୍ଷ ପୂର୍ବେ ନିଜ ରାଜଧାନୀରେ ଗୋଟିଏ ଏଲୋପ୍ୟାଥିକ ଚିକିତ୍ସାଳୟ ସ୍ଥାପନକରି ଚିକିତ୍ସକ ପଦରେ ଜଣେ ଉପଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତ କରିଥିଲେ । ମାତ୍ର ସ୍ଥାନୀୟ ଲୋକମାନେ ଏଲୋପ୍ୟାଥିକ ଚିକିତ୍ସାପ୍ରତି ଅନୁରାଗ ପ୍ରକାଶ ନ କରିବାରୁ ମହାରାଜ ମହୋଦୟ ଅଗତ୍ୟା ଉକ୍ତ ଡାକ୍ତରଖାନା ଉଠାଇଦେଲେ ମାତ୍ର ରାଜ୍ୟମଧ୍ୟରେ ରାଜକୀୟ ବୃତ୍ତିଭୋଗୀ ୧୦ । ୧୫ ଜଣ ବୈଦ୍ୟ ଏବଂ ଅନେକ ବେସରକାରୀ ବୈଦ୍ୟଥିବାରୁ ଚିକିତ୍ସା ବିଷୟରେ ବିଶେଷ କିଛି ଅସୁବିଧା ଘଟୁନାହିଁ । ସ୍ୱୟଂ ମହାରାଜ ମହୋଦୟ ବିବିଧ ରୋଗର ଔଷଧ ତୈଳ ମାନ ପ୍ରସ୍ତୁତ ଏବଂ କ୍ରୟକରି ରୋଗୀମାନଙ୍କ ମଧ୍ୟରେ ବିତରଣ କରିଥାନ୍ତି ।

 

ଆମ୍ଭେମାନେ ପୂର୍ବେ ଏକପରିଚ୍ଛେଦରେ ଲେଖିଅଛୁଁ ଯେ ମହାରାଜ ଶ୍ରୀ କୃପାମୟ ଦେବ କୃଷିର ଉନ୍ନତି ବିଷୟରେ ମନୋଯୋଗୀ, ସେ ରାଜ୍ୟର କୃଷିକାର୍ଯ୍ୟୋନ୍ନତିର ଯଥୋଚିତ ବ୍ୟବସ୍ଥାକରି କ୍ଷାନ୍ତ ହୋଇନାହାନ୍ତି । ଗଞ୍ଜାମ ଜିଲାରୁ କୃଷି ଉନ୍ନତି ମଧ୍ୟ ତାଙ୍କର ଅଭିପ୍ରେତ । ଏହି କାରଣରୁ ସେ ଗତ ୨ ବର୍ଷ ମଧ୍ୟରେ ବ୍ରହ୍ମପୁରରେ ସ୍ଥାପିତ ଗଞ୍ଜାମ କୃଷିଉନ୍ନତିସାଧିନୀ ସମିତିର ଉଦ୍ଦେଶ୍ୟ ସାଧକ ନିମନ୍ତେ ପ୍ରାୟ ୩ ହଜାର ଟଙ୍କା ପ୍ରଦାନ କରିଅଛନ୍ତି, ଏବଂ ଉକ୍ତ ସମିତି ଯତ୍ନରେ ସ୍ଥାପିତ ପ୍ରଦର୍ଶନୀକୁ ସ୍ୱରାଜ୍ୟର ନାନା ପ୍ରକାର ପଶୁପକ୍ଷୀ ଏବଂ ନାନାବିଧ ଶସ୍ୟ ଓ ସ୍ୱ ଉଦ୍ୟାନଜାତ ଶାକ ସବ୍‍ଜି ପ୍ରେରଣକରି ବିଶେଷ ପୁରସ୍କାର ଓ ପ୍ରଶଂସାପତ୍ର ପାଇଅଛନ୍ତି ।

 

୧୯୦୮ ଖ୍ରୀଷ୍ଟାବ୍ଦରେ ଅନାବୃଷ୍ଟି ବଶତଃ ଅନ୍ୟାନ୍ୟ ସ୍ଥାନପରି ଏହି ରାଜ୍ୟର ଧାନ୍ୟାଦି ଫସଲର ଅବସ୍ଥା ଅତି ଶୋଚନୀୟ ଥିଲା, ସୁତରାଂ ରାଜ୍ୟରେ ଅନ୍ନକଷ୍ଟ ଏବଂ ଦୁର୍ଭିକ୍ଷ ଉପସ୍ଥିତ ହୋଇ ପ୍ରଜାକୁଳକୁ ଆତଙ୍କିତ କରିଥିଲା । ସେହି ଦୁଃସମୟରେ ମହାରାଜ ମହୋଦୟ ପ୍ରଜାରକ୍ଷା ସକାଶ ଅତ୍ୟନ୍ତ ଚିନ୍ତିତ ଓ ଯତ୍ନଶୀଳ ଥାଇ ଅନୁମାନ ୭ ହଜାରଟଙ୍କା ରାଜସ୍ୱ ମାଫଦେବା ପରେ ପ୍ରାୟ ହ ୪୦ଜାର ଟଙ୍କା ରାଜସ୍ୱ ଆଦାୟ ସ୍ଥଗିତ ରଖିଥିଲେ ଏବଂ ପଥ, ପ୍ରାସାଦ ଆଦି ନିର୍ମାଣ, ଖାଲ ଖନନ, ମନ୍ଦିର ପ୍ରସ୍ତୁତ ପ୍ରଭୃତି କାର୍ଯ୍ୟରେ ଅଧିକ ସଂଖ୍ୟକ ଲୋକ ନିଯୁକ୍ତ କରିଥିଲେ, ଏବଂ ରାଜପ୍ରାସାଦ ସଂଲଗ୍ନ ସୁବୃହତ୍‍ ‌ପୁଷ୍କରିଣୀର ପଙ୍କୋଦ୍ଧାର କାର୍ଯ୍ୟରେ ୫ ହଜାରଟଙ୍କା ବ୍ୟୟକରିଥିଲେ । ଖାଦ୍ୟ ଦ୍ରବ୍ୟର ଦୁର୍ମୂଲ୍ୟ ହେତୁ ସ୍ତ୍ରୀ ପୁରୁଷ ସମସ୍ତଙ୍କୁ ସମାନ ପାରିଶ୍ରମିକ ପ୍ରଦାନ କରାଯାଇଥିଲା, ସୁତରାଂ ଶ୍ରମଜୀବୀ ସଂପ୍ରଦାୟ ଦୁର୍ଭିକ୍ଷ ବାଧାରୁ ରକ୍ଷା ପାଇଥିଲେ । ଏହାଭିନ୍ନ ରିଲିଫ୍‌ କାର୍ଯ୍ୟରେ ଯୋଗଦେବାକୁ ଅକ୍ଷମ ନରନାରୀ, ବାଳକ ବାଳିକା ମାନଙ୍କ ରକ୍ଷାନିମିତ୍ତ ଅନ୍ନଛତ୍ର ପ୍ରତିଷ୍ଠା କରିଥିଲେ । ଛତ୍ରରେ ପ୍ରତ୍ୟହ ୫ । ୭ ଶତଲୋକ ସନ୍ତୋଷ ପୂର୍ବକ ଭୋଜନ କରୁଥିଲେ । ଗରୀବ ଭଦ୍ରଲୋକ ମାନଙ୍କୁ ନଗଦ ଅର୍ଥ ସାହାଯ୍ୟ କରାଯାଉଥିଲା । ଶେଷୋକ୍ତ ଉଭୟ ବାବତରେ ଅନ୍ୟୂନ ୨୫୦୦ ଟଙ୍କା ବ୍ୟୟିତ ହୋଇଅଛି । ମହାରାଜ ମହୋଦୟ ଦୀନରକ୍ଷାର୍ଥ ଅସମୟରେ ଅନ୍ନଦାନକରି ଅଶେଷ ପୁଣ୍ୟାର୍ଜ୍ଜନ କରିଅଛନ୍ତି । ଅନ୍ନଦାନଠାରୁ ବଳି ପୁଣ୍ୟନାହିଁ, ତାହା ଅନ୍ୟ ସକଳବିଧ ଦାନଅପେକ୍ଷା ଶ୍ରେଷ୍ଠଅଟେ । ସାର୍ଥକନାମା ନରପତି ମହୋଦୟ ଉପରୋକ୍ତ ପ୍ରକାର ବଦାନ୍ୟତା ଓ ସହୃଦୟତା ପ୍ରକାଶ କରିନଥିଲେ ରାଜ୍ୟର ଅନେକ ନିରନ୍ନ ନରନାରୀ, ବାଳକ ବାଳିକା ଯେ ସେସମୟରେ କାଳଗ୍ରାସରେ ପତିତ ହୋଇଥାନ୍ତେ ଅନେକ ଗରୀବ ଭଦ୍ରଲୋକ ଯେ ଉଦର ଜ୍ୱାଳାରେ ଅସ୍ଥିର ହୋଇ ଭିକ୍ଷାବୃତ୍ତିକରି ଅକାଳରେ କାଳଗ୍ରାସରେ ପତିତ ହୋଇଥାନ୍ତେ, ଏକଥା କହିବା ବାହୁଲ୍ୟମାତ୍ର ।

 

ଆଗେ ଏହି ରାଜଧାନୀର ଗଳି ପଥମାନଙ୍କରେ ସଡ଼କ ନଥିବା ଏବଂ ଲୋକମାନେ ସେହି ପଥମାନ ଆବର୍ଜ୍ଜନା ପୂର୍ଣ୍ଣକରି ରଖୁଥିବା ହେତୁ ରାତ୍ରକଥା ତେଣେଥାଉ ଉକ୍ତ ଗତିପଥମାନଙ୍କରେ ଦିବାଭାଗରେ ଯାତାୟାତ କରିବା କଷ୍ଟକର ହେଉଥିଲା । ମହାରାଜାଙ୍କ ବ୍ୟୟରେ ଗଡ଼ର ପ୍ରତିସାହୀ ପ୍ରତିଗତିରେ ସଡ଼କ ପ୍ରସ୍ତୁତ ଏବଂ ସ୍ଥାନେ ସ୍ଥାନେ ସ୍ତମ୍ଭ ପ୍ରୋଥିତ ହୋଇ ଆଲୋକ ଦାନର ବ୍ୟବସ୍ଥା ହେବାହେତୁ ଯାତାୟାତ ସୁଗମ ହୋଇଅଛି । ଗ୍ରାମସଂସ୍କାର ବିଷୟରେ ଅଧିକତର ଦୃଷ୍ଟି ରଖିବା ନିମନ୍ତେ ପ୍ରତିସାହୀର ଭଦ୍ରବ୍ୟକ୍ତିମାନଙ୍କୁ ମେମ୍ବର ନିଯୁକ୍ତ କରାଯାଇ ଗୋଟିଏ କମିଟି ଗଠନ କରାଯାଇଅଛି ।

 

ଗଞ୍ଜାମ ଜିଲାରେ ଥିବା ସମସ୍ତ ଗବର୍ଣ୍ଣମେଣ୍ଟ ଅଫିସ ଏବଂ ରାଜାମାନଙ୍କ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଅଙ୍କ ବଦଳରେ ଇଂରାଜୀ ଅଙ୍କ ବ୍ୟବହାର ହୋଇଥାଏ । ମାତ୍ର ମହାରାଜ ଶ୍ରୀ କୃପାମୟ ଦେବ ଆପଣା କଚେରୀରୁ ଇଂରେଜ ଅଙ୍କର ବ୍ୟବହାର ଉଠାଇଦେଇ ଓଡ଼ିଆ ଅଙ୍କ ଚଳାଉ ଅଛନ୍ତି । ତାହାଙ୍କ ସିରସ୍ତାରେ ତେଲୁଗୁ ଲେଖାପଢ଼ା କିଛିମାତ୍ର ନାହିଁ । ରାଜ୍ୟର ଶିକ୍ଷିତ ବ୍ୟକ୍ତିମାନେ ରାଜ କାର୍ଯ୍ୟରେ ନିଯୁକ୍ତ ହୋଇ ଅଛନ୍ତି ଓ ନେଉଅଛନ୍ତି । ପୂର୍ବରୁ ନିଯୁକ୍ତ ଥିବା କମା, ତେଲଙ୍ଗା ମାନେ ମଧ୍ୟ ଓଡ଼ିଆରେ ଲେଖାପଢ଼ା କରୁଅଛନ୍ତି । ରାଜ୍ୟର ଲୋକମାନଙ୍କୁ ରାଜକାର୍ଯ୍ୟରେ ନିଯୁକ୍ତ କରିବା ଯେ ସୁବିବେଚନାର କାର୍ଯ୍ୟ ଏବଂ ରାଜା ପ୍ରଜା ଉଭୟଙ୍କ ପକ୍ଷରେ ମଙ୍ଗଳପ୍ରଦ ଏକଥା କହିବା ବାହୁଲ୍ୟମାତ୍ର ।

 

ମହାରାଜ ମହୋଦୟ କୋର୍ଟ ଅବ୍‌ ଓ୍ୟାର୍ଡ଼ସ ଅଧିନରେ ଥାଇ ଶିକ୍ଷାଗ୍ରହଣ କରୁଥିବା ସମୟରେ ଶ୍ରୀଯୁକ୍ତ ନ୍ୟାୟପତି କରିବରଦ ପଣ୍ଡିତ ମହାଶୟ ତାହାଙ୍କର ଅନ୍ୟତମ ଶିକ୍ଷକଥିଲେ । ମହାରାଜ ରାଜ୍ୟଭାର ଗ୍ରହଣ କରିବା ପରେ ତାହାଙ୍କୁ ନିଜର ଦେବାନ ପଦରେ ନିଯୁକ୍ତକରି ତାହାଙ୍କୁ ୧୮୦୦ ଭରଣ ଭୂମିଦାନ କରି ମାସିକ ୧୦୦ଟଙ୍କା ବେତନ ଦେଉଥିଲେ । ଏହାଭିନ୍ନ ରୋସମ ବାବତରେ ସେ ଅନେକ ଟଙ୍କା ପ୍ରାପ୍ତହେଉଥିଲେ । (ସେ ବର୍ତ୍ତମାନ କାର୍ଯ୍ୟତ୍ୟାଗ କରିଅଛନ୍ତି) । ଅପର ଶିକ୍ଷକ (ଗଞ୍ଜାମଜିଲାର ସବ୍‌ ଆଶିଷ୍ଟାଣ୍ଟ ଇନ୍‌ସ୍ପେକ୍ଟର, ଅଧୁନାପରଲୋକଗତ) ଶ୍ରୀଯୁକ୍ତ ଭଗବତୀଚରଣ ଚଟ୍ଟୋପାଧ୍ୟାୟ ମହାଶୟଙ୍କୁ ମହାରାଜା ରାଜ୍ୟଭାର ଗ୍ରହଣ କରିବାପରେ ଗୁରୁଦକ୍ଷିଣା ସ୍ୱରୂପ ନଗଦ ୨ହଜାର ଟଙ୍କା ପ୍ରଦାନ କରିଥିଲେ । ତାଙ୍କର ସ୍ୱର୍ଗାରୋହଣ ଦିବସଠାରୁ ତାଙ୍କର ପତ୍ନୀଙ୍କୁ ତାଙ୍କର ବ୍ୟୟ ସାହାଯ୍ୟ ନିମନ୍ତେ ମାସିକ ୨୦ ଟଙ୍କା ହିସାବ ପ୍ରଦାନକରି ଆସୁଅଛନ୍ତି । ବର୍ତ୍ତମାନ କାଳରେ ଏପରି ଗୁରୁଭକ୍ତି ସାଧାରଣରେ ପରିଲକ୍ଷିତ ହୁଏନାହିଁ ।

 

ଆମ୍ଭେମାନେ ପୂର୍ବରେ କହିଅଛୁଁ ଯେ ମହାରାଜ ମହୋଦୟ ବାଲ୍ୟକାଳରେ ବିଦ୍ୟାଭ୍ୟାସ ସଙ୍ଗେସଙ୍ଗେ ଛାନ୍ଦ, ସଙ୍ଗୀତଚର୍ଚ୍ଚା କରିଥାନ୍ତି । ବର୍ତ୍ତମାନ ମଧ୍ୟ ସେ ଉକ୍ତ ଅଭ୍ୟାସ ପରିତ୍ୟାଗ କରିନାହାନ୍ତି ଏବଂ ନିଜ ରାଜଧାନୀର ଗାନ ବାଦ୍ୟ ନିପୂଣ ବ୍ୟକ୍ତିମାନଙ୍କୁ ବେତନ ଦେଇ ଗୋଟିଏ ସଙ୍ଗୀତ ସମାଜ ଗଠନ କରିଅଛନ୍ତି ଓ ନାନାପ୍ରକାର ଦେଶୀ ବିଦେଶୀ ଅନେକ ଯନ୍ତ୍ର ସଂଗ୍ରହ କରିଅଛନ୍ତି । ସମୟେ ସମୟେ ସଙ୍ଗୀତ ସମାଜକୁ ଆପଣାର ବିଶ୍ରାମାଗାରକୁ ଆହ୍ୱାନକରି ସେମାନଙ୍କ ସହିତ ଯୋଗଦାନ କରିଥାନ୍ତି । କହିବା ବାହୁଲ୍ୟ ମହାରାଜ ମହୋଦୟଙ୍କର ଗାନବାଦ୍ୟରେ ପାରଦର୍ଶିତା ଅଛି । ଏହାଭିନ୍ନ ସେ ଅନେକ ସରସ ସଙ୍ଗୀତ ରଚନା କରିଅଛନ୍ତି । ତାଙ୍କପ୍ରଣୀତ ଅନେକ ସଙ୍ଗୀତ ଏକତ୍ରିତ ହୋଇ ‘‘ସଙ୍ଗୀତ ମକରନ୍ଦ’’ ନାମକ ଖଣ୍ଡିଏ ପୁସ୍ତକ ପ୍ରକାଶିତ ହୋଇଅଛି । ଆଉ ଅନେକଗୀତ ଅବଧି ଅପ୍ରକାଶିତ ଅବସ୍ଥାରେ ଅଛି ।

 

ମହାରାଜ ମହୋଦୟଙ୍କର ଛାନ୍ଦସଙ୍ଗୀତ ପ୍ରତି ଯେପରି ପ୍ରୀତି, ଭାଷା ଓ ସଂସ୍କୃତଚର୍ଚ୍ଚା ପ୍ରତି ସେହିପରି ଅନୁରାଗ ଏହେତୁ ବେତନ ଓ ଭୂମିଦେଇ କେତେକଜଣ ଯୋଗ୍ୟଲୋକ ରଖିପ୍ରାୟ ନିତ୍ୟ ଭାଷା ଓ ସଂସ୍କୃତ ସାହିତ୍ୟଚର୍ଚ୍ଚା କରିଥାନ୍ତି । ଭାରତର ବିଭିନ୍ନ ପ୍ରଦେଶର କବି, ପଣ୍ଡିତ, ଜ୍ୟୋତିର୍ବିଦ ପ୍ରଭୃତି ଗୁଣୀଲୋକମାନେ ପ୍ରାୟ ସର୍ବଦା ଏସ୍ଥାନକୁ ଆଗମନ କରି ମହାରାଜାଙ୍କ ସହିତ ବିବିଧ ଶାସ୍ତ୍ରର ଚର୍ଚ୍ଚାକରି ତାଙ୍କର ତାର୍ବିକତା, ଯୁକ୍ତି କୁଶଳତା ଏବଂ ବିଚକ୍ଷଣତା ଦର୍ଶନରେ ପ୍ରୀତ ହୋଇଥାନ୍ତି । ମହାରାଜ ମହୋଦୟ ମଧ୍ୟ ସେମାନଙ୍କ ଯୋଗ୍ୟତାର ଯଥୋଚିତ ସମାଦର କରିଥାନ୍ତି-

 

ମହାରାଜ ମହୋଦୟ ଫରେଷ୍ଟମାଶୁଲ (ବଶକର) ବିଷୟରେ ପ୍ରଜାମାନଙ୍କୁ ବିଶେଷ ସୁବିଧା ପ୍ରଦାନ କରି ଅଛନ୍ତି । ପୂର୍ବେ ମାଶୁଲର ଯେଉଁଦର ନିଶ୍ଚିତ ହୋଇଥିଲା ତାହା ଅନେକ ପରିମାଣରେ ଊଣା କରିଦେଇ ଅଛନ୍ତି । ୧୯୦୮ ସମ୍ବତ୍ସର ନଭେମ୍ବର ମାସରେ ମହାରାଜ ମହୋଦୟଙ୍କର ପଟ୍ଟକୁମାର ଜନ୍ମୋପଲକ୍ଷେ ରାଜଧାନୀବାସିମାନେ ବିଶେଷ ଉତ୍ସବାନୁଷ୍ଠାନ କରିବାବାକୁ ମହାରାଜ ମହୋଦୟ ବିଶେଷ ସନ୍ତୁଷ୍ଟହୋଇ ସେମାନଙ୍କୁ ଜାଳେଣି କାଠର ମାଶୁଲ ଚିରଦିନପାଇଁ ଛାଡ଼ିଦେଇ ଅଛନ୍ତି । ପ୍ରଜାନାନଙ୍କ ଉପକାର କାମନାରେ ଏପରି ତ୍ୟାଗସ୍ୱୀକାର କରିବା ମହାରାଜାଙ୍କ ପକ୍ଷରେ ବିଶେଷ ସହୃଦୟତାର କାର୍ଯ୍ୟ ।

 

ଗଞ୍ଜାମବାସୀ ଓଡ଼ିଆମାନେ ଅଳ୍ପ ଦିନପୂର୍ବେ ଯେତେବେଳେ ଗଞ୍ଜାମ ଜିଲାକୁ ଓଡ଼ିଶା ସଙ୍ଗେ ମିଶାଇବା ନିମନ୍ତେ ତୁମୁଳ ଆନ୍ଦୋଳନ ଉପସ୍ଥିତ କରିଥିଲେ ସେସମୟରେ ମହାରାଜ ଶ୍ରୀ କୃପାମୟଦେବ ବାକ୍ୟ ଓ ଅର୍ଥଦ୍ୱାରା ଆନ୍ଦୋଳନକାରିମାନଙ୍କର ପୃଷ୍ଠପୋଷକତା କରିଥିଲେ । ବର୍ତ୍ତମାନ ବ୍ରହ୍ମପୁରଠାରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ଏକତ୍ରବସ୍ଥାନର ସୁବିଧା ନିମନ୍ତେ ୧୦ହଜାର ଟଙ୍କା ବ୍ୟୟୀତ ଗୋଟିଏ ଛାତ୍ରବାସ ନିର୍ମାଣ କରାଇ ଦେବା ପାଇଁ ପ୍ରତିଶ୍ରୁତ ହୋଇ ଅଛନ୍ତି । ବର୍ତ୍ତମାନମଧ୍ୟ ତାଙ୍କର ବ୍ରହ୍ମପୁରସ୍ଥ ବଙ୍ଗଳାରେ ୧୪।୧୫ ଜଣ ଉତ୍କଳ ସନ୍ତାନ ଅବସ୍ଥାନ କରି ବିଦ୍ୟାଧ୍ୟୟନ କରୁ ଅଛନ୍ତି । ଛାତ୍ରମାନେ ଏକ ସ୍ଥାନରେ ଅବସ୍ଥାନକଲେ ଅବକାଶ ସମୟରେ ସ୍ୱଦେଶ ସ୍ୱଜାତି ବିଷୟର ଚର୍ଚ୍ଚା କରିବାକୁ ସୁଯୋଗ ପ୍ରାପ୍ତ ହେବେ ଏବଂ ସେମାନଙ୍କ ମଧ୍ୟରେ କ୍ରମଶଃ ଭ୍ରାତୃଭାବର ବୃଦ୍ଧିହେବ ଅଳ୍ପ ଅଧ୍ୟୟନ କରିଥିବା ଛାତ୍ରମାନେ ଅଧିକ ଅଧ୍ୟୟନ କରିଥିବା ଛାତ୍ରମାନଙ୍କଠାରୁ ଶିକ୍ଷୋନ୍ନତି ଓ ଚରିତ୍ର ରକ୍ଷା ବିଷୟରେ ଯଥେଷ୍ଟ ସାହାଯ୍ୟ ଲାଭର ସୁଯୋଗ ପ୍ରାପ୍ତ ହେବେ, ଏହା ଦେଶପକ୍ଷରେ ସାମାନ୍ୟ ମଙ୍ଗଳଜନକନୁହେ । ମହାରାଜ ମହୋଦୟ ଓଡ଼ିଆମାନଙ୍କ ସକାଶ କିପରି ଚିନ୍ତା ଓ ତ୍ୟାଗସ୍ୱୀକାର କରୁ ଅଛନ୍ତି ତାହା ଉପରୋକ୍ତ ଘଟନାମାନଙ୍କରୁ ସୁଷ୍ପଷ୍ଟରୂପେ ପ୍ରତୀୟମାନ ହେଉଅଛି ।

 

ମହାରାଜାଙ୍କ ପ୍ରଥମ ଦେଓ୍ୱାନ ଶ୍ରୀଯୁକ୍ତ ନ୍ୟାୟପତି କରିବରଦ ପଣ୍ଡିତ ମହାଶୟ ନିଜର ଅସୁବିଧା ହେତୁ ପଦତ୍ୟାଗ ବାସନା ବ୍ୟକ୍ତ କରିବାରୁ ମହାରାଜ ମହୋଦୟ ୧୯୦୮ଖ୍ରୀଃରେ ଏଦେଶର ଗବର୍ଣ୍ଣମେଣ୍ଟ ପେନ୍‌ଶନଭୋଗୀ ଡେପୁଟୀ କଲେକ୍ଟର ଶ୍ରୀଯୁକ୍ତ ସୋମ୍ବରାଜୁ ଲକ୍ଷ୍ମୀନୃସିଂହ ରାଓ ପଣ୍ଡିତଙ୍କୁ ଆପଣାର ଦେବ ନ ପଦରେ ନିଯୁକ୍ତ କରିଅଛନ୍ତି । ଭକ୍ତ ମହୋଦୟ ଜଣେ କର୍ତ୍ତବ୍ୟନିଷ୍ଟ ନ୍ୟାୟଶୀଳ, ଚାରୁଭିମାନୀ ଓ ଧାର୍ମ୍ମିକ ବ୍ୟକ୍ତି ଅଟନ୍ତି । ଏପରି ସୁଯୋଗ୍ୟ ବ୍ୟକ୍ତିଙ୍କୁ ମନ୍ତ୍ରୀପଦରେ ନିଯୁକ୍ତ କରିଥିବା ହେତୁ ପ୍ରଜାସାଧାରଣ ଯେପରି ଆନନ୍ଦିତ, ତାହାଙ୍କ କାର୍ଯ୍ୟ କୁଶଳତା ଦର୍ଶନରେ ସ୍ୱୟଂ ମହାରାଜ ମହୋଦୟ ମଧ୍ୟ ସେହିପରି ପ୍ରୀତ ।

 

ମହାରାଜ ମହୋଦୟ ସାହିତ୍ୟାଦି ବିବିଧ ବିଷୟର ଆଲୋଚନା କରିବା ନିମନ୍ତେ ଆପଣା ରାଜଧାନୀରେ ବ୫ର୍ଷ ହେଲା ‘‘ଦେଶୋନ୍ନତିଦାୟିନୀ’’ ନାମ୍ନୀ ଗୋଟିଏ ସମିତି ପ୍ରତିଷ୍ଠା କରିଅଛନ୍ତି । ପ୍ରତି ସପ୍ତାହରେ ଏଥିର ଅଧିବେଶନ ହୁଏ । ରାଜଧାନୀର, ସମସ୍ତ ପ୍ରଧାନ ରାଜକର୍ମ୍ମଚାରୀ ଓ ସମସ୍ତ ଭଦ୍ରଲୋକ ଏହି ସମିତିର ସଦସ୍ୟ ଶ୍ରେଣୀଭୁକ୍ତ ଅଟନ୍ତି । ଅତଃପର ମହାରାଜ ମହୋଦୟଙ୍କ ପ୍ରବର୍ତ୍ତନାରେ ୨ ବର୍ଷହେଲା ଜାତୀୟ ଉନ୍ନତି କାମନାରେ ରାଜଧାନୀରେ ଗୋଟିଏ ‘‘ବ୍ରାହ୍ମଣ ସମିତି’’ ପ୍ରତିଷ୍ଠିତ ହୋଇଅଛି । ରାଜ୍ୟସ୍ଥ ପ୍ରତ୍ୟେକ ଶାସନର ମୁଖ୍ୟ ବ୍ୟକ୍ତିମାନେ ଏହି ସମିତିରେ ଯୋଗଦାନ କରିଥାନ୍ତି । ସମିତିର ପ୍ରଥମ ବାର୍ଷିକ ଅଧିବେଶନରେ ଅନୁରୁଦ୍ଧ ହୋଇ ସ୍ୱୟଂ ମହାରାଜ ମହୋଦୟ, ସଭାପତି ଆସନ ଗ୍ରହଣକରି ସଦୁପଦେଶ ପ୍ରଦାନ କରିଥିଲେ । ଦ୍ୱିତୀୟ ବାର୍ଷିକ ଅଧିବେଶନରେ ସଭ୍ୟରୂପେ ଆସନ ଗ୍ରହଣ କରି ଗରୀବ ବ୍ରାହ୍ମଣ ବାଳକମାନଙ୍କ ଶିକ୍ଷା ବ୍ୟୟଭାର ବହନକରିବାର ଅଙ୍ଗୀକାରକରି ସ୍ୱୀୟ ଦ୍ୱିଜଭକ୍ତି ଏବଂ ମହଦନ୍ତଃକରଣର ପରିଚୟ ପ୍ରଦାନ କରିଅଛନ୍ତି ।

 

ଶ୍ରୀମାନ ଘଟ୍ଟକୁମାରଙ୍କ ଜନ୍ମୋପଲକ୍ଷେ ନଗରବାସୀମାନେ ମହାସମାରୋହରେ ଉତ୍ସବ କରିଥିଲେ । ସମସ୍ତଙ୍କ ପ୍ରାର୍ଥନା ଅନୁସାରେ ମହାରାଜ ମହୋଦୟ ଉକ୍ତ ଉତ୍ସବରେ ଯୋଗଦାନ କରି ଅନୁଷ୍ଠାତା ମାନଙ୍କର ବିରାଟ ଆୟୋଜନ ଦେଖି ବିଶେଷ ଆନନ୍ଦ ପ୍ରକାଶ କରିଥିଲେ ଏବଂ ପ୍ରଧାନ ଉଦ୍ୟୋଗୀ ବ୍ୟକ୍ତି ମାନଙ୍କୁ ପଦ, ପଟ୍ଟବସ୍ତ୍ରାଦି ପ୍ରଦାନ ଦ୍ୱାରା ଗୌରବାନ୍ୱିତ କରିଥିଲେ । ଏହି କାରଣରୁ ଏବଂ ମହାରାଜାଙ୍କ ଦ୍ୱାରା ଦେଶୀ ବିଦେଶୀ ନାନା ଶ୍ରେଣୀର ପ୍ରତିଭାଶାଳୀ ବ୍ୟକ୍ତିମାନେ ସର୍ବଦା ସମ୍ମାନିତ ଓ ଉତ୍ସାହିତ ହେଉଥିବାରୁ ସେହି ସମୟରେ ସମବେତ ପଣ୍ଡିତମଣ୍ଡଳୀ ତାଙ୍କର ଗୁଣଗ୍ରାହକତାର ଭୂୟସୀ ପ୍ରଶଂସା କରି ତାହାଙ୍କୁ ମୁକ୍ତକଣ୍ଠରେ ‘‘ପ୍ରତିଭା ବିନୋଦ’’ ଉପାଧି ପ୍ରଦାନକରି ଆଶୀର୍ବାଦ ପୁରଃସର ତାହାଙ୍କ ଗଳ ଦେଶରେ କର୍ପୂରମାଳା ଲମ୍ବାଇ ଦେଇଥିଲେ । ପରେ ‘‘ବ୍ରାହ୍ମଣମାନେ କ୍ଷତ୍ରିୟ ମାନଙ୍କ ଗୁରୁସ୍ଥାନୀୟ ଥିବାରୁ ଗୁର୍ବାଜ୍ଞା ଅଲଙ୍ଘନୀୟ, ସୁତରାଂ ସେମାନଙ୍କ ଅନୁଗ୍ରହପ୍ରଦତ୍ତ ଉପାଧି ଅବନତ ମସ୍ତକରେ ଗ୍ରହଣକଲି, ନଚେତ୍‌ ମୁଁ ଉକ୍ତ ଉପାଧି ଲାଭର ଉପଯୁକ୍ତ ନୁହେ, ଆପଣମାନଙ୍କ ଆଶୀର୍ବାଦ ବଳରେ ମୁଁ ଉକ୍ତ ଉପାଧିର ସଦ୍‌ବ୍ୟବହାର କରିବାକୁ ସକ୍ଷମହୁଏ, ଈଶ୍ୱରଙ୍କ ନିକଟରେ ଏହି ପ୍ରାର୍ଥନା କରୁଅଛି’’ ବୋଲି ଶ୍ରୀମାନ୍‌ ମହାରାଜ ମହୋଦୟ ବ୍ୟକ୍ତକରି ସ୍ୱୀୟ ବିଜୟ ଗୁଣର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।

 

ମହାରାଜା ମହୋଦୟ ଗ୍ରନ୍ଥକାର ମାନଙ୍କୁ ସମୟେ ସମୟେ ଗ୍ରନ୍ଥ ପ୍ରକାଶ ସକାଶେ ସାହାଯ୍ୟ କରିଥାନ୍ତି । କୌଣସି କୌଣସି ପୁସ୍ତକ ଛାପା ହେବାପରେ ବେଶୀ ସଂଖ୍ୟାରେ କ୍ରୟକରି ଗ୍ରନ୍ଥକାର ମାନଙ୍କୁ ଉତ୍ସାହ ପ୍ରଦାନ କରିଥାନ୍ତି ଏବଂ ‘‘ଉତ୍କଳସାହିତ୍ୟ’’ ପତ୍ରିକା ପ୍ରଚାର ନିମନ୍ତେ ବାର୍ଷିକ ଟ୫୦ଙ୍କା ସାହାଯ୍ୟ କରି ଆସୁଅଛନ୍ତି । ନାନାସ୍ଥାନର କେତେକ ସାହିତ୍ୟସେବୀ ମହାରଜାଙ୍କଠାରୁ ନିୟମିତରୂପେ ବାର୍ଷିକ ବୃତ୍ତି ପାଇଥାନ୍ତି ।

 

ମହାରାଜ ଶ୍ରୀ କୃପାମୟ ଦେବ ଆଶ୍ରିତ କର୍ମ୍ମଚାରୀ ଓ ସାଧାରଣଭୃତ୍ୟ ମାନଙ୍କପ୍ରତି ସର୍ବଦା କୃପାବାନ୍‌ । ସେମାନଙ୍କର କୌଣସି ପ୍ରକାର ଅଭାବ ପଡ଼ିଲେ ଯଥୋଚିତ ସାହାଯ୍ୟ କରିଥାନ୍ତି । ସେମାନଙ୍କ ପରିବାର ମଧ୍ୟରେ କାହାରି ବ୍ରତ ବିବାହ ହେଲେ ବା କୌଣସି ପ୍ରକାର ଆପଦ ପଡ଼ିଲେ ମୁକ୍ତହସ୍ତରେ ଦାନକରିଥାନ୍ତି । ଏହାଭିନ୍ନ ସେମାନେ (ବେତନ ବ୍ୟତୀତ) ଅନୁଗ୍ରହ ସ୍ୱରୂପ ରାଜସରକାରକୁ ପ୍ରାୟ ୫ ହଜାର ଭରଣ ଭୂମି ସାହାଯ୍ୟ ସ୍ୱରୂପ ପାଇଅଛନ୍ତି । ରାଜକାର୍ଯ୍ୟରେ ନିଯୁକ୍ତ ନଥିବା ବ୍ରାହ୍ମଣ କରଣାଦି ଭଦ୍ରଲୋକମାନେ ମଧ୍ୟ ମହାରାଜ ମହୋଦୟଙ୍କର ଏବମ୍ବିଧ ଅନୁଗ୍ରହ ଲାଭକୁ ବଞ୍ଜିତ ନୁହନ୍ତି ।

 

ମହାରାଜ ମହୋଦୟ ମଣିମାଣିକ୍ୟାଦି ରତ୍ନାଳଙ୍କାର ସଂଗ୍ରହରେ ଯେପରି ମନୋଯୋଗୀ, ଉତ୍‌କୃଷ୍ଟ ଗ୍ରନ୍ଥ ସଂଗ୍ରହରେ ସେହିପରି ଅନୁରାଗୀ, ତାହାଙ୍କର ପୁସ୍ତକାଳୟରେ ମୁଦ୍ରିତ, ଅମୁଦ୍ରିତ ଅନେକ ଭାଷା ଓ ସଂସ୍କୃତଗ୍ରନ୍ଥ ରକ୍ଷିତ ହୋଇଅଛି ଏବଂ ପୁସ୍ତକର ସଂଖ୍ୟା କ୍ରମରେ ବୃଦ୍ଧିଲାଭ କରୁଅଛି । ସ୍ଥାନୀୟ ଶିକ୍ଷିତ ବ୍ୟକ୍ତିମାନେ ଉକ୍ତ ପୁସ୍ତକାଳୟରୁ ପ୍ରୟୋଜନୀୟ ପୁସ୍ତକନେଇ ପାଠ କରିପାରିବାର ସୁବ୍ୟବସ୍ଥା ହୋଇଅଛି । ଏତଦ୍ଦ୍ୱାରା ସାଧାରଣ ଅବସ୍ଥାପନ୍ନ ଶିକ୍ଷାନୁରାଗୀ ବ୍ୟକ୍ତିମାନଙ୍କର ବିଶେଷ ଉପକାର ସାଧିତ ହେଉଅଛି ।

 

ମହାରାଜ ମହୋଦୟ ସମୟେ ସମୟେ ନାନାସ୍ଥାନରେ ପ୍ରଜାମାନଙ୍କୁ ଘେନି ବନଭୋଜିକରି ସମସ୍ତଙ୍କର ଖାଦ୍ୟପାନର ତତ୍ୱାବଧାନ କରିଥାନ୍ତି । ପ୍ରତି ଭୋଜିରେ ୨ । ୩ ହଜାର ଲୋକ ସମବେତ ହୋଇଥାନ୍ତି । ରାଜା ପ୍ରଜା ମିଳି ଏପରି ଆମୋଦ ପ୍ରମୋଦ କରିବା ଅତ୍ୟନ୍ତ ଆନନ୍ଦଜନକ ଓ ଶୁଭଫଳପ୍ରଦ ।

 

ମହାରାଜ ମହୋଦୟ ରାଜକାର୍ଯ୍ୟର ସୁବିଧା ନିମନ୍ତେ ଦେବାନ ଓ ଅନେକ କର୍ମଚାରୀ ନିଯୁକ୍ତ କରିଥିଲେ ମଧ୍ୟ ଅବଶ୍ୟ କର୍ତ୍ତବ୍ୟ ଅର୍ଥାତ୍‌ ମାମୁଲି କେତେକ କାର୍ଯ୍ୟ ବ୍ୟତୀତ ଅନ୍ୟକାର୍ଯ୍ୟ କରିବା ନିମନ୍ତେ ସେମାନେ ସମସ୍ତେ ମହାରାଜାଙ୍କର ଆଦେଶର ଅପେକ୍ଷା କରିଥାନ୍ତି । ମହାରାଜାମହୋଦୟ ସୁନିୟମରେ ସମୟ ବିଭାଗକରି କାର୍ଯ୍ୟ କରୁଥିବା ହେତୁ କର୍ମଚାରିମାନେ ଯଥାସମୟରେ ଆପଣା ଆପଣା ବକ୍ତବ୍ୟ ବ୍ୟକ୍ତକରି ଆଦେଶ ଗ୍ରହଣ କରିବା ବିଷୟରେ କିଛିମାତ୍ର ଅସୁବିଧା ଉପଭୋଗ କରିନଥାନ୍ତି ।

 

ମହାରାଜ ମହୋଦୟ ପ୍ରତିଦିନ ଗତଦିବସର ଆୟ ବ୍ୟୟର ହିସାବ ପୁଙ୍ଖାନୁପୁଙ୍ଖରୂପେ ପରୀକ୍ଷା କରିଥାନ୍ତି । ଏହାବ୍ୟତୀତ ପ୍ରତ୍ୟେକ ବିଷୟର ବିଲ୍‌ ପରୀକ୍ଷାକରି ପାଶ କରିଥାନ୍ତି । ଟଙ୍କାପଇସାର ହିସାବ ବୁଝିବା ବିଷୟରେ ମହାରାଜ ମହୋଦୟ ସଦାସତର୍କ । ଏହା ତାହାଙ୍କର ଅର୍ଥ ନୀତିଜ୍ଞକାର ଉଜ୍ଜ୍ୱଳତମ ନିଦର୍ଶନ ।

 

କେତେକ ରାଜଧାନୀରେ ଏପରି ରୀତିଅଛି ଯେ ଉଚ୍ଚ ରାଜକର୍ମ୍ମଚାରିମାନେ ସୁଦ୍ଧା ରାଜସମ୍ମୁଖରେ ଆସନଲାଭ କରିପାରନ୍ତିନାହିଁ । ସ୍ଥଳ ବିଶେଷରେ ସେମାନେ ଦଣ୍ଡପ୍ରାପ୍ତ ଛାତ୍ରପରି ରାଜ ସମ୍ମୁଖରେ ୨ । ୪ ଘଣ୍ଟାକାଳ ଦଣ୍ଡାୟମାନ ହୋଇ ରହିବାକୁ ବାଧ୍ୟ ହୁଅନ୍ତି । ପରିବାର ପରିପୋଷଣ ନିମିତ୍ତ ସ୍ୱାଧୀନତା ବିକ୍ରୟ କରିଥିବାରୁ ସେମାନେ ସକଳ ବିଧ ଅପମାନ ‘ହଜମ’ କରିଥାନ୍ତି । ମାତ୍ର ବୃହତ୍‌ ଖେମଣ୍ଡିରେ ଉକ୍ତ କୁରୀତିନାହିଁ । କାର୍ଯ୍ୟୋପଲକ୍ଷରେ ମହାରାଜଙ୍କ ଛାମୁକୁ ସର୍ବଦା ଯାତାୟାତ କରୁଥିବା ଓ ରାଜ ସମୀପରେ ସର୍ବଦା ଅବସ୍ଥାନ କରୁଥିବା କର୍ମଚାରୀମାନେ ମହାରାଜାଙ୍କ ବୈଠକ ବା କଚେରୀରେ ଆସନରେ ବସିବାର ବ୍ୟବସ୍ଥାଅଛି । ଏହିଘଟନା ମହାରାଜ ମହୋଦୟଙ୍କ ମହତ୍ୱର ପରିଚାୟକ ।

 

ପୂର୍ବ୍ବୋକ୍ତ ପରିଚ୍ଛେଦ ମାନଙ୍କରୁ ପାଠକମାନେ ଅବଗତ ହୋଇ ଅଛନ୍ତି ଯେ ମହାରାଜ ଶ୍ରୀ କୃପାମୟଦେବ ଜଣେ ବିଦ୍ୟାନୁରାଗୀ, ସାହିତ୍ୟସଙ୍ଗୀତନିପୁଣ, ବ୍ୟାୟାମ-କୁଶଳୀ ଅର୍ଥନୀତିଜ୍ଞ, (ବ୍ରତୋପବାସାଦି କରୁଥିବା ହେତୁ) କଷ୍ଟସହିଷ୍ଣୁ ଅର୍ଥନୀତିଜ୍ଞ, ଦାନଶୀଳ, ଅନାଥବତ୍ସଳ ପ୍ରଜାହିତୈଷୀ, ଧାର୍ମ୍ମିକ, ପରୋପକାରପରାୟଣ, ସଞ୍ଚୟପଟୁ ନାନାଶ୍ରେଣୀର ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ସମାଦରକୁଶଳୀ, ପ୍ରଭୃତି ବହୁବିଧ ସଦ୍ଗୁଣ ସୁମନମାଳାରେ ସର୍ଦଦାସମଳଂକୃତ । ସୌଭାଗ୍ୟବଶରୁ ସେ ବହୁଧନମାନ ଏବଂ ଗୁଣରଅଧିକାରୀ, ଏବଂ ଲକ୍ଷ୍ମୀ ସରସ୍ୱତୀଙ୍କର ସମକୃପାଭାଜନ ହୋଇସୁଦ୍ଧା ସଦା ଅଭିମାନ ବର୍ଜ୍ଜିତ ଏବଂ ଛୋଟବଡ଼ ସମସ୍ତ ଲୋକଙ୍କ ସହିତ କଥୋପକଥନ କରିଥାନ୍ତି । ସମୟେ ସମୟେ ସେମାନଙ୍କୁ ଘେନି ନାନାପ୍ରକାର ଆମୋଦ ପ୍ରମୋଦ କରିଥାନ୍ତି, ଏହିହେତୁ ପ୍ରତ୍ୟେକ ରାଜସମ୍ପର୍କ ବିଶିଷ୍ଟବ୍ୟକ୍ତି ଅନ୍ୟାନ୍ୟ ବ୍ୟକ୍ତି ଅପେକ୍ଷା ଆପଣାକୁ ମହାରାଜାଙ୍କର ଅଧିକ ବିଶ୍ୱାସୀ ଓ ଅନୁଗ୍ରହପାତ୍ରବୋଲି ମନେକରିବା ସମ୍ଭବପର । ଏହି ଘଟଣାରୁ ମହାଯଶା ମହାରାଜ ମହୋଦୟ କିପରି ରାଜନୀତି କୁଶଳୀ ସୁବିଜ୍ଞ ପାଠକମାନେ ସହଜରେ ଅନୁମାନ କରି ପାରିବେ । ମହାରାଜ ମହୋଦୟ ସମସ୍ତଙ୍କ ସହିତ ନିରଭି ମାନିତାର ସହିତ ଆଳାପ,-ମିଳାମିଶା କରୁଥିଲେ ମଧ୍ୟ ସେ ରାଜକାର୍ଯ୍ୟ ପର୍ଯ୍ୟାଲୋଚନା କରୁଥିବାବେଳେ ଭୀମକାନ୍ତ ମୂର୍ତ୍ତି ଧାରଣ କରିଥାନ୍ତି । ଏପରିହେବା ମଧ୍ୟ ଉଚିତ ତାହାଙ୍କର ବିଚାରପ୍ରଣାଳୀ ଯେ ନ୍ୟାୟଦୟା ବିମିଶ୍ରିତ ଏକଥା କହିବା ବାହୁଲ୍ୟମାତ୍ର । ଅଧିକାଂଶ ଆପତ୍ତି ଆବେଦନ ଏବଂ ତହିଁର ବିଚାର ମୌଖିକରେ ହେଉଥିବାରୁ ଅଳ୍ପସମୟ ମଧ୍ୟରେ ଅଧିକକାର୍ଯ୍ୟ ସମ୍ପନ୍ନ ହୋଇଥାଏ ସୁତରାଂ ପ୍ରଜାମାନଙ୍କୁ ବ୍ୟୟସ୍ୱୀକାର କରି ଦରଖାସ୍ତ ଲେଖାଇବା ଏବଂ ମୀମାଂସା ଶେଷପର୍ଯ୍ୟନ୍ତ ପଡ଼ିରହିବା କ୍ଷତି ଓ କଷ୍ଟଭୋଗ କରିବାକୁ ପଡ଼େନାହିଁ ।

 

୧୯୦୮ ଖ୍ରୀଃ ସେପ୍‌ଟେମ୍ବର ମାସରେ ମହାରାଜ ମହୋଦୟ ଜ୍ୱରରୋଗରେ ଆକ୍ରାନ୍ତହୋଇ କ୍ରମାଗତ ୩ ସପ୍ତାହ କାଳ ଶଯ୍ୟାଶାୟୀ ହୋଇଥିଲେ । ଚିକିତ୍ସା କୁଶଳୀ ରାଜବୈଦ୍ୟ ମାନେ ନାନାପ୍ରକାର ଔଷଧ ପ୍ରୟୋଗ କଲେ ମଧ୍ୟ କିଛିମାତ୍ର ଉପକାର ହେଲାନାହିଁ । ମହାରାଜା ରୋଗପ୍ରଭାବ ଓ ଅରୁଚି ଜନିତ ଅନାହାର ହେତୁ ଦିନକୁ ଦିନ ଦୁର୍ବଳରୁ ଦୁର୍ବଳତର ହେବାକୁ ଲାଗିଲେ, ଏମନ୍ତକି କଥାସୁଦ୍ଧା କହିପାରିଲେ ନାହିଁ । ରୋଗୋପଶମ ସକାଶ ହୋମ, ଦାନ, ବାହ୍ମଣବରଣ ବ୍ରାହ୍ମଣ ଭୋଜନ, ଦେବାଳୟ ମାନଙ୍କରେ ଭୋଗ, ଗ୍ରହଶାନ୍ତି ଆଦି ଯାହାଯାହା କରଣୀୟ ତାହା ପୂର୍ଣ୍ଣମାତ୍ରାରେ ଅନୁଷ୍ଠିତ ହୋଇଥିଲା । ତତ୍ପରେ ପୁରୀ, ଭୁବନେଶ୍ୱର, ସେତୁବନ୍ଧ ରାମେଶ୍ୱର, ଜ୍ୱାଳାମୁଖୀ, ବୃନ୍ଦାବନ, ଦ୍ୱାରକା, କାଶୀ, ପ୍ରୟାଗ ପ୍ରଭୃତି ସ୍ଥାନମାନଙ୍କରେ ଥିବା ଭାରତପ୍ରସିଦ୍ଧ ଦେବଦେବୀ ମାନଙ୍କ ଉଦ୍ଦେଶ୍ୟରେ ଭୋଗନିମନ୍ତେ ଅନେକ ଟଙ୍କା ଉତ୍ସୁଷ୍ଟହେଲା । ପରେ ପରମେଶ୍ୱରଙ୍କ କୃପା ଏବଂ ବୈଦ୍ୟମାନଙ୍କ ସୁବିବେଚିତ ଚିକିତ୍ସାରେ ମହାରାଜ ମହୋଦୟ ଆରୋଗ୍ୟ ଲାଭକରି ଚିନ୍ତାକୁଳ ପ୍ରଜାମଣ୍ଡଳୀଙ୍କର ଚିନ୍ତା ଦୂରକଲେ । ତଦନନ୍ତର ବୈଦ୍ୟମାନଙ୍କୁ ଟଙ୍କା, ପଟ୍ଟବସ୍ତ୍ର ଏବଂ ଭୂମିଦାନ କରିବା ଦ୍ୱାରା ସେମାନଙ୍କୁ ସମ୍ମାନିତ କରାଇଲେ । ଶୈଶବାବସ୍ଥା ବ୍ୟତୀତ ନିଜଜୀବନରେ ସେ ଆଉକେବେ ଏପରି କଷ୍ଟଭୋଗ କରିନଥିଲେ । ଏହି ଦୁର୍ଘଟନାରେ ଭୂମିବ୍ୟତୀତ ନଗଦ ପ୍ରାୟ ୫ ହଜାର ଟଙ୍କା ବ୍ୟୟିତ ହୋଇଅଛି ।

 

ପୁରୀ, ପାରଳା, ବଡ଼ଖେମଣ୍ଡି, ସାନଖେମଣ୍ଡିର ନରପତିମାନେ ମଙ୍ଗଳକୃତ୍ୟ ନିମନ୍ତେ କୌଣସି ସ୍ଥାନକୁ ଗମନ କରିବାର ରୀତିନାହିଁ,–ସେମାନେ ସ୍ଥାନାନ୍ତରରୁ କନ୍ୟା ଅଣାଇ ନିଜନିଜରାଜଧାନୀରେ ମଙ୍ଗଳକୃତ୍ୟ ବିଧାନ ବଢ଼ାଇଥାନ୍ତି । ତଦନୁସାରେ ଶ୍ରୀକୃପାମୟଦେବ ୨୧ବର୍ଷ ବୟସ ସମୟରେ ସମ୍ୱଲପୁର ଜିଲ୍ଲାନ୍ତର୍ଗତ ‘ଖିଣ୍ଡା’ ନାମକସ୍ଥାନ ନିବାସୀ ଚୌହାନ ବଂଶୀୟ ମାଫିଦାର ମହାଶୟଙ୍କ ଜ୍ୟେଷ୍ଠାକନ୍ୟାଙ୍କୁ ଅଣାଇ ନିଜ ରାଜଧାନୀରେ ତାହାଙ୍କର ପାଣିଗ୍ରହଣକଲେ-। ଏହି ପାଣିଗ୍ରହଣୋତ୍ସବରେ ଅନ୍ୟୂନ ୨୦ହଜାର ଟଙ୍କା ବ୍ୟୟିତ ହୋଇଥିଲା-। ଏହି ଶୁଭ ବିବାହ ୧୮୯୮ ଖ୍ରୀଷ୍ଟାବ୍ଦ ଫେବୃୟାରି ମାସରେ ସମ୍ପନ୍ନ ହୋଇଥିଲା । ଶ୍ରୀମତୀ ପଟ୍ଟମହଷୀ ମହୋଦୟା କ୍ରମଗତ ୮ ଗୋଟି ପୁତ୍ରକନ୍ୟା ପ୍ରସବକଲେ । ମାତ୍ର ସେମାନେ ସମସ୍ତେ କାଳକବଳିତ ହେବାରୁ ମହାରାଜ ମହୋଦୟ ଅଗତ୍ୟାବାଧ୍ୟ ହୋଇ, ୧୯୦୭ ସାଲ ଜାନୁୟାରି ମାସରେ ଦ୍ୱିତୀୟବାର ଦାଗ ପରିଗ୍ରହକଲେ, ଉକ୍ତ ମହାଦେଈ ପ୍ରଥମା ମହାଦେଈଙ୍କର କନିଷ୍ଠା ଭଗିନୀ ଅଟନ୍ତି ।

 

ମହାରାଜାଙ୍କ ଦ୍ୱିତୀୟବାର ମଙ୍ଗଳକୃତ୍ୟ ପରେ ପ୍ରଥମା ମହାଦେବୀ ୨ଗୋଟି ଜେମା, ଦ୍ୱିତୀୟା ମହାଦେବୀ ୨ଗୋଟି ଜେମା ଏବଂ ସଂପ୍ରତି ଗୋଟିଏ ପଟ୍ଟକୁମାର ଲାଭକରି ଅଛନ୍ତି । ଉକ୍ତ କୁମାର ୧୯୦୮ ଖ୍ରୀଃ ନବମ୍ୱର ମାସ ୧୦ ତାରିଖ ଅପରାହ୍ନ ୫ ଘଣ୍ଟା ସମୟରେ ଜନ୍ମଗ୍ରହଣ କରିବାରୁ ରାଜ୍ୟବାସିମାନେ ପରମାନନ୍ଦିତ ହୋଇ ଏକମାସବ୍ୟାପୀ ଆନନ୍ଦୋତ୍ସବ କରିଥିଲେ । ନାନାକାରଣରୁ ମହାରାଜମହୋଦୟ ଏ ସମ୍ୱନ୍ଧରେ ବିଶେଷଭାବରେ କିଛି ଉତ୍ସବାନୁଷ୍ଠାନ କରିନଥିଲେ ମଧ୍ୟ ନାନାସ୍ଥାନର ଦେବତାମାନଙ୍କ ଭୋଗ ନିମନ୍ତେ ଅନେକ ଭୂମି ଓ ନଗଦ ଟଙ୍କା ଦାନ କରିଅଛନ୍ତି ଏବଂ ସେହି ଦିନଠାରୁ ଦେବସେବାରେ ଅତିରିକ୍ତ ଅର୍ଥ ଓ ସମୟ ବ୍ୟୟକରି ଆସୁଅଛନ୍ତି । ଶ୍ରୀମାନ (ପଟ୍ଟକୁମାର ଚିରଜୀବୀ ହୋଇ ସମସ୍ତଙ୍କର ଆନନ୍ଦବର୍ଦ୍ଧନ କରନ୍ତୁ ଈଶ୍ୱରଙ୍କଠାରେ ଏହି ପ୍ରାର୍ଥନା କରୁଅଛୁଁ ।)

 

ମହାରାଜମହୋଦୟ ସମୟ ବିଭାଗକର ନିୟମିତରୂପେ ପ୍ରାତ୍ୟାହିକ କାର୍ଯ୍ୟସମ୍ପନ୍ନ କରିଥାନ୍ତି । ବିଶେଷ ପ୍ରତିବନ୍ଧକ ନଘଟିଲେ କିଛି ବ୍ୟତିକ୍ରମ ଘଟେନାହିଁ । ତାହାଙ୍କର ସମୟବିଭାଗ ଓ କାର୍ଯ୍ୟପ୍ରଣାଳୀ ନିମ୍ନରେ ପ୍ରକାଶ କରାଯାଉଅଛି ।

 

ମହାରାଜମହୋଦୟ ଅଛି ପ୍ରତ୍ୟୁଷରେ ଶଯ୍ୟାତ୍ୟାଗ ପୂର୍ବକ ପ୍ରାତଃକୃତ୍ୟ ଶେଷକରି (ଶୀତକାଳରେ ମଧ୍ୟ) ଶୀତଳ, ଜଳରେ ସ୍ନାନ କରନ୍ତି । ତଦନନ୍ତର ସ୍ତବପୀଠ, ସନ୍ଧ୍ୟା, ତର୍ପଣ, ଜପ, ଅଶ୍ୱଥି ପ୍ରଦକ୍ଷିଣ ପ୍ରଭୃତି କାର୍ଯ୍ୟ ଶେଷକରି ରାଜପ୍ରସାଦ ମଧ୍ୟବର୍ତ୍ତୀ ଦେବାଳୟମାନଙ୍କରେ ଥିବା ଦେବ ଦେବୀମାନଙ୍କ ଦର୍ଶନ ସକାଶ ଯାତ୍ରାକରନ୍ତି । ଏହିସବୁ ଅନୁଷ୍ଠାନ ପୂର୍ବାହ୍ନ ୮ ଘଣ୍ଟା ସମୟକୁ ଶେଷହେଲାରୁ ଅନ୍ତଃପୁରମଧ୍ୟକୁ ବିଜେହୋଇ ସକଳବିଷୟ ତତ୍ୱାବଧାନ କରନ୍ତି । ପ୍ରାୟ ଏକଘଣ୍ଟା ବା ତନ୍ନ୍ୟୂନ ସମୟମଧ୍ୟରେ ଫେରିଆସି ଗତ ଦିବସର ଆୟବ୍ୟୟର ହିସାବଦେଖି ସ୍ୱାକ୍ଷର ଏବଂ ବିଲ୍‌ମାନ ପାସକରନ୍ତି । ସେହିସମୟରେ କର୍ମଚାରୀ ଓ ପ୍ରଜାମାନଙ୍କର ଗୁହାରି ଶ୍ରବଣ କରନ୍ତି । ଏପରିଭାବରେ ୨ । ୩ ଘଣ୍ଟା ଅତିବାହିତ ହୁଏ । ତତ୍ପରେ ମହାରାଜମହୋଦୟ ମଣୋହିକୁ ବିଜେକରନ୍ତି । ମଣୋହିପରେ ପ୍ରାୟ ଏକ ଘଣ୍ଟାକାଳ ବୈଠକଖାନାରେ ଅବସ୍ଥାନକରି ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ସହିତ ନାନାବିଷୟରେ କଥୋପକଥନ କରିଥାନ୍ତି । ଏସମୟରେ ସାଧାରଣତଃ ଅନ୍ୟ ଲୋକମାନେ ଯାଆନ୍ତିନାହିଁ । ତତ୍ପରେ ମହାରାଜମହୋଦୟଙ୍କର ପହଡ଼ଆରମ୍ଭ ଏବଂ ଅପରାହ୍ନ୪ଘଣ୍ଟା ସମୟରେ ପହଡ଼ ରଙ୍ଗହୁଏ । ଅତଃପର ସମୟୋଚିତ କାର୍ଯ୍ୟ ସମାପନକରି ପରିଚ୍ଛଦ ପରିବର୍ତ୍ତନ କରନ୍ତି । ତଦନନ୍ତର ଡାକରେ ଆସିଥିବା ଚିଠି ସମ୍ୱାଦପତ୍ରମାନ ପାଠ ଓ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଆଳାପ ଏବଂ କେତେକ ଲୋକଙ୍କ ଗୁହାରି ଶ୍ରବଣ ଓ ବିଚାର ପରେ ଶୀତଳମଣୋହି (ଜଳଖିଆ କରିବା) ନିମନ୍ତେ ସନ୍ଧ୍ୟାପୂର୍ବେ ଭିତରକୁ ବିଜେ କରନ୍ତି । ଅଳ୍ପକ୍ଷଣପରେ ତେଣୁ ପ୍ରତ୍ୟାବୃତ୍ତ ହୋଇ କିୟତ୍‍କାଳ ବିଶ୍ରାମାନନ୍ତର ସନ୍ଧ୍ୟା ବନ୍ଦନ, ଦେବଦର୍ଶନାଦି କାର୍ଯ୍ୟରେ ନିଯୁକ୍ତ ହୁଅନ୍ତି । ଏଥିରେ ଅନ୍ୟୂନ ୨ ଘଣ୍ଟାକାଳ ଅତିବାହିତ ହୁଏ । ତତ୍ପରେ ଅନ୍ତଃପୁର ସମାଚାର ବୁଝି ବୈଠକରେ ବିଜେ ହୁଅନ୍ତି । ତେତେବେଳକୁ ସ୍ଥାନୀୟ ପଣ୍ଡିତ, ଓ ଭଦ୍ରଲୋକମାନେ ଉପସ୍ଥିତ ଥାନ୍ତି । ମହାରାଜା ପ୍ରବେଶ କରିବା ମାତ୍ରେ ସ୍ଥାନାନ୍ତରରୁ ଆଗମନ କରିଥିବା କବି ପଣ୍ଡିତମାନଙ୍କୁ ଆହ୍ୱାନ କରାଯାଇ ନାନାବିଷୟର ଆଲୋଚନା କରାଯାଏ, କେବେ କେବେ ଛାନ୍ଦ, ସଙ୍ଗୀତର ଚର୍ଚ୍ଚାମଧ୍ୟ ହୁଏ । ଏହିପରି ସାହିତ୍ୟାଦି ଚର୍ଚ୍ଚାରେ ୩ । ୪ ଘଣ୍ଟା ଅତିବାହିତ ହେବାପରେ ମହାରାଜ ମହୋଦୟ ସମସ୍ତଙ୍କୁ ବିଦାୟଦେଇ ମଣୋହି ଓ ପହଡ଼ ନିମନ୍ତେ ବିଜେ କରନ୍ତି । ତାଙ୍କର ନିଦ୍ରାନୁରାଗ ଅତିଅଳ୍ପ । ଦିବସ ଓ ରାତ୍ରମଧ୍ୟରେ ସେ ୫ । ୬ ଘଣ୍ଟାରୁ ଅଧିକକାଳ ଶୟନ କରନ୍ତି ନାହିଁ ବରଂ ଅଧିକାଂଶ ଦିବସରେ ତଦପେକ୍ଷା ନ୍ୟୂନସମୟ ଶୟନ କରିଥାନ୍ତି ।

 

ମହାରାଜ ଶ୍ରୀ କୃପାମୟଦେବ ବ୍ୟାୟାମକୁଶଳୀ (ବ୍ରତୋପବାସାଦିହେତୁ) କଷ୍ଟ ସହିଷ୍ଣୁ ଓ ମୃଗୟା ପ୍ରିୟ ଥିବାର ଅନ୍ୟ ଏକ ପରିଚ୍ଛେଦରେ ବର୍ଣ୍ଣିତ ହୋଇଅଛି । ସେ ଜଣେ ପଶ୍ଚିମା ମଲ୍ଲକୁ ଆପଣାର ବ୍ୟାୟାମ ସହଚରକରି ରଖିଅଛନ୍ତି, ସ୍ଥାନୀୟ ମୃଗୟୁମାନଙ୍କୁ ଧରି ସମୟେ ସମୟେ ମୃଗୟା ଯାତ୍ରାକରି ମୃଗ ବ୍ୟାଘ୍ର, ଶମ୍ବରାଦି ଅନେକ ପଶୁ ହତକରି ଅଛନ୍ତି । ସାଧାରଣତଃ ତାହାଙ୍କର ଲକ୍ଷ୍ୟ ଅବ୍ୟର୍ଥ ଅଟେ । ଇତର ଲୋକମାନେ ଅକ୍ଷମ ହେଉଥିବା ଦୂରାରୋହ ପର୍ବତ ମାନଙ୍କରେ ସେ ଅବଲୀଳାକ୍ରମେ ଯାତାୟାତ କରିଥାନ୍ତି, ସୁତରାଂ ତାହାଙ୍କର କ୍ଷମତା ଯେ ସର୍ବତୋମୁଖୀ ଏକଥା ସମସ୍ତେ ସ୍ୱୀକାର କରିବେ ।

 

କେତେକରାଜା ବିଳାସ ବାସନା ଚରିତାର୍ଥ ବା ଅଭାବ ପୂରଣ ନିମନ୍ତେ ଋଣଗ୍ରହଣ, କାଳି ବା ଲାଗୁଆ (Credit)ରେ ଦ୍ରବ୍ୟ କ୍ରୟକରିବା ଅଭ୍ୟାସକରି ସର୍ବସ୍ୱାନ୍ତ ହୋଇଥିବା ଦୃଷ୍ଟାନ୍ତ ଦେଶରେ ବିରଳ ନୁହେ । ଅବିବେଚିତ ଭାବରେ ବ୍ୟୟ ଓ ଋଣକରି ସର୍ବସ୍ୱାନ୍ତ ହେଉଥିବା ନରପତିମାନଙ୍କର ଦୂରବସ୍ଥାର କଥା ସ୍ମରଣକରି ବୃହତଖେମଣ୍ଡି ପତି ଶ୍ରୀକୃପାମୟ ଦେବ ଋଣନକରି ବା, ନଗଦ ମୂଲ୍ୟ ନଦେଇ ଦ୍ରବ୍ୟକ୍ରୟ ନକରିବା ବିଷୟରେ ଦୃଢ଼ପ୍ରତିଜ୍ଞ ହୋଇଅଛନ୍ତି କୌଣସି ମୂଲ୍ୟବାନଦ୍ରବ୍ୟ କ୍ରୟକରିବାକୁ ଏକାନ୍ତ ଅନୁରାଗ ହେଲେ ମଧ୍ୟ ତହିଁର ମୂଲ୍ୟ ନିର୍ଦ୍ଧାରଣ କରିବା ଆଗରୁ ନିଜର ବାହ୍ୟିକ ଟ୍ରେଜରି ବା ଧନାଗାରରେ କେତେଟଙ୍କା ଅଛି, ଏବଂ ନିକଟବର୍ତ୍ତୀ ଭବିଷ୍ୟତରେ କିଛି ପ୍ରୟୋଜନୀୟ ବିଷୟରେ ବିଶେଷ ପରିମାଣରେ ଖରଚ କରିବାକୁ ଅଛି ଏବଂ ନିକଟରେ ରାଜ୍ୟରୁ କେତେଟଙ୍କା ଆସିବାର ସମ୍ଭାବନା ଏସମସ୍ତକଥା ଅବଗତ ହେବା ପରେ ଆର୍ଥିକ ଅନାଟନର ସମ୍ଭାବନା ନଥିଲେ ମନୋନୀତ ଦ୍ରବ୍ୟର ମୂଲ୍ୟ ନିଶ୍ଚୟକରି ତତ୍‌କ୍ଷଣାତ ଟଙ୍କା ପ୍ରଦାନ କରିଥାନ୍ତି । ଅନାଟନର ସମ୍ଭାବନା ହେଲେ ଦ୍ରବ୍ୟ ଗ୍ରହଣ କରିବା ତେଣେଥାଉ ତାହାର ମୂଲ୍ୟ ନିର୍ଦ୍ଧାରଣ ନକରି ତତ୍‌କ୍ଷଣାତ୍‌ ବିକ୍ରେତାକୁ ବିଦାୟ ପ୍ରଦାନ କରିଥାନ୍ତି ।

 

ମହାରାଜ ଶ୍ରୀ କୃପାମୟ ଦେବଙ୍କର ଜୀବନର ଉଲ୍ଲେଖ ଯୋଗ, ସମସ୍ତ ପ୍ରଧାନ ଘଟନା, ଏବଂ ସେ କି କି ସତ୍‍କାର୍ଯ୍ୟରେ କେବେ କି ପରିମାଣରେ ଅର୍ଥବ୍ୟୟ କରି ଅଛନ୍ତି, ତାହା ଏବଂ ତାଙ୍କର ସଦ୍‌ଗୁଣାବଳୀର ସଦୃଷ୍ଟାନ୍ତକୁ ବିଶେଷ ପରିଚୟ ସଂଗ୍ରହକରି ପ୍ରକାଶକଲେ ପ୍ରବନ୍ଧର କଳେବର ବହୁଗୁଣରେ ପରିବର୍ଦ୍ଧିତ ହେବ ଏହି ଆଶଙ୍କାରେ ତହିଁରୁ କ୍ଷାନ୍ତହେଲୁଁ । ତଥାପି ଯେଉଁ ଯେଉଁ ସ୍ଥୂଳ ବିବରଣୀ ପ୍ରକାଶ କରାଗଲା ତହିଁରୁ ବିଜ୍ଞ ପାଠକମାନେ ମହାରାଜମହୋଦୟଙ୍କର ମହାନୁଭାବକତାର ପୂର୍ଣ୍ଣ ପରିଚୟ ପାଇପାରିବେ । ତାଙ୍କ ସମ୍ୱନ୍ଧରେ ‘‘ଗଞ୍ଜାମଭ୍ରମଣ’’ ପ୍ରଣେତାଙ୍କ ମତ ନିମ୍ନରେ ପ୍ରକାଶ କରାଗଲା ।

 

ବୃହତଖେମଣ୍ଡି ପତି ଦେବ କୃପାମୟ,

ସତେ ସତେ ନୃପ ତୁମ୍ଭେ ଅଟ କୃପାମୟ ।

ଦାନ, ଧର୍ମ୍ମ, ଦେଶୋନ୍ନତି, ସାହିତ୍ୟସେବାରେ,

ନିଯୁକ୍ତ ସତତ ତୁମ୍ଭେ ସାଧୁ ବ୍ୟବହାରେ ।

ଗୁଣଗ୍ରାହୀ ରାଜା ତୁମ୍ଭେ ବୁଝ ଗୁଣୀ ଗୁଣ,

ପୁଣି ଅଟ ସୂକ୍ଷ୍ମଦର୍ଶୀ ସୁନୀତି ନିପୁଣ ।

କବି ପଣ୍ଡିତଙ୍କ ତୁମ୍ଭେ ମହତ ଆଶ୍ରୟ,

ଏକଥାଟା ଢୋଲପିଟା ଅଛି ଦେଶମୟ ।

ପ୍ରତିଭାବିନୋଦ ପଦ ହେ ଗୁଣି-ତିଳକ,

ତୁମ୍ଭଙ୍କୁ କରିଣ ଆଶ୍ରା ହୋଇଲା ସାର୍ଥକ ।

ଦୀନ ଓଡ଼ିଆଛାତ୍ରଙ୍କ ସୁବିଧା ସକାଶ,

ଦେଲ ପଟେ ଟଙ୍କା ତହିଁ ହେବ ଛାତ୍ରାବାସ ।

ସ୍ୱରାଜ୍ୟ ଉନ୍ନତି ପାଇଁ ପ୍ରତ୍ୟେକ ଗ୍ରାମରେ,

ସ୍ଥାପରାଜା ଚତୁଷ୍ପଠୀ ପାଠଶାଳା ଖରେ ।

ଆବଶ୍ୟକ ସଂସ୍କାର ଯା କରୁଛ ସର୍ବଥା,

ମୋ ମନକୁ ଆସିଲା ସେ ବଡ଼ ଭଲକଥା ।

ତୁମ୍ଭର ସୁଖ୍ୟାତି ନୃପ କି ବର୍ଣ୍ଣିବିଂଛାର,

କରୁଛି ‘ଗୁଣଦର୍ପଣ’’ ସତତ ପ୍ରଚାର ।

 

ପରିଶେଷରେ ବକ୍ତବ୍ୟ ଏହିଯେ ପୁଣ୍ୟଶ୍ଳୋକ ମହାରାଜ ଶ୍ରୀ କୃପାମୟ ଦେବଙ୍କ ଗୁଣାବଳୀ କୀର୍ତ୍ତନକରି ଆମ୍ଭେ ମାନେ ଧନ୍ୟ ହୋଇଅଛୁଁ । ମହଜ୍ଜନମାନଙ୍କ ଗୁଣକୀର୍ତ୍ତି ଓ ପ୍ରଚାର ଯେ ବିଶେଷ ଶୁଭପ୍ରଦ ଏକଥା କହିବା ବାହୁଲ୍ୟ ମାତ୍ର । ବର୍ତ୍ତମାନ ଆମ୍ଭେମାନେ ଶ୍ରୀ କୃପାମୟଦେବ ଅନଙ୍ଗ ଭୀମକେଶରୀ ଗଜପତି ମହାରାଜ ମହୋଦୟଙ୍କୁ ପ୍ରାଚୀନକରି ବାକ୍ୟରେ ନିମ୍ନୋକ୍ତ ଆଶୀର୍ବାଦାତ୍ମକ ଶ୍ଳୋକଟି ଉପହାର ପ୍ରଦାନକରି ବିଦାୟଗ୍ରହଣ କରୁଅଛୁଁ ।

 

ଲକ୍ଷ୍ମୀସ୍ତେ ପଙ୍କଜାକ୍ଷୀ ଦିବସତୁସଦନେ ଭାରତୀ କଣ୍ଠଦେଶେ ବର୍ଦ୍ଧନ୍ତାଂ ବନ୍ଧୁବର୍ଗାଃ ପ୍ରବଳରିପୁଗଣା ଯାନ୍ତୁପାତାଳମୂଳଂ ଦେଶେ ଦେଶେ ଚକୀର୍ତ୍ତି ପ୍ରସରତୁଭବତଃ କୁନ୍ଦପୂର୍ଣ୍ଣେନ୍ଦୁଶୁଭ୍ରା କୀବତ୍ୱଂ ପୁତ୍ରପୌତ୍ତ୍ରୈ ର୍ବିବିଧଗୁଣପୁତୈଃ ସ୍ୱସ୍ତିତେ ନିତ୍ୟମାସ୍ତାଂ ।

Image